Categories: ଜାତୀୟ

ଜଣେ ଦୋଷୀ ହେଲେ ୩ ଖଲାସ

ନୂଆଦିଲ୍ଲୀ,୧୯।୧୧(ପି.ଟି.): ଶିଶୁମାନଙ୍କୁ ଯୌନ ଶୋଷଣ, ନିର୍ଯାତନା, ଓ ପର୍ନୋଗ୍ରାଫିରୁ ସୁରକ୍ଷା ଦେବା ଲକ୍ଷ୍ୟରେ ୨୦୧୨ରେ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ (ପୋକ୍ସୋ) କାର୍ଯ୍ୟକାରୀ ହୋଇଥିଲା। ଏହି ଆଇନରେ ଜଣେ ଦୋଷୀସାବ୍ୟସ୍ତ ହେବା ବେଳେ ୩ ଜଣ ନିର୍ଦ୍ଦୋଷରେ ଖଲାସ ହେଉଥିବା ୧୦ ବର୍ଷର ଏହି ଆଇନ ଉପରେ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି।
ପୋକ୍ସୋ ମାମଲା ବିଚାର ଶେଷ ହେବାକୁ ହାରାହାରି ୫୦୯.୭୮ ଦିନ ଲାଗିଯାଉଛି। ମାମଲା ଦାଏରର ଗୋଟିଏ ବର୍ଷ ମଧ୍ୟରେ ବିଚାର ଶେଷ କରିବାକୁ ଆଇନର ଧାରା ୩୫ରେ ସମୟ ଧାର୍ଯ୍ୟ ହୋଇଥିଲା। ଚଣ୍ଡିଗଡ଼ ଏବଂ ପଶ୍ଚିମବଙ୍ଗରେ ଏହି ଆଇନରେ ଦୋଷୀସାବ୍ୟସ୍ତ ହେବା ପାଇଁ ହାରାହାରି ବର୍ଷେ ସମୟ ଲାଗିଛି। ବିଧି ସେଣ୍ଟର ଫର୍‌ ଲିଗାଲ ପଲିସି ନାମକ ସ୍ବାଧୀନ ସଂସ୍ଥା ପକ୍ଷରୁ ଜଷ୍ଟିସ୍‌, ଆକ୍ସେସ ଆଣ୍ଡ ଲୋୟରିଂ ଡିଲେଜ୍‌ ଇନ୍‌ ଇଣ୍ଡିଆ ଇନିସିଏଟିଭ୍‌ ଦ୍ୱାରା ‘ ଏ ଡିକେଡ୍‌ ଅଫ୍‌ ପୋକ୍ସୋ’ ନାମରେ ଅଧ୍ୟୟନ କରାଯାଇଥିଲା। ଏଥିରେ ବିଶ୍ୱ ବ୍ୟାଙ୍କର ଡାଟା ଏଭିଡେନ୍ସ ଫର୍‌ ଜଷ୍ଟିସ୍‌ ରିଫର୍ମ କାର୍ଯ୍ୟକ୍ରମ ସାମିଲ ହୋଇଥିଲା। ମୋଟ ୪ ଲକ୍ଷ ପୋକ୍ସୋ ମାମଲା ତଥ୍ୟ ସଂଗ୍ରହ କରାଯାଇ ସେଥିରୁ ୨.୩୧ ଲକ୍ଷ ମାମଲାର ଅନୁଶୀଳନ କରାଯାଇଥିଲା। ଉତ୍ତରପ୍ରଦେଶରେ ସର୍ବାଧିକ ୭୭.୭୭ ପ୍ରତିଶତ ପୋକ୍ସୋ ମାମଲା ବିଚାର ଅପେକ୍ଷାରେ ପଡ଼ିରହିଥିବା ଅଧ୍ୟୟନରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ତାମିଲନାଡୁରେ ସର୍ବାଧିକ ୮୦.୨ ପ୍ରତିଶତ ମାମଲାର ଫଇସଲା ହୋଇଛି। ଏହି ମାମଲାରେ ସବୁ ରାଜ୍ୟରେ ଦୋଷୀସାବ୍ୟସ୍ତଙ୍କ ଅପେକ୍ଷା ନିର୍ଦ୍ଦୋଷରେ ଖଲାସ ହେବା ଅଭିଯୁକ୍ତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ଆନ୍ଧ୍ରପ୍ରଦେଶରେ ଦୋଷୀସାବ୍ୟସ୍ତଙ୍କ ଅପେକ୍ଷା ନିର୍ଦ୍ଦୋଷରେ ଖଲାସ ହେଉଥିବା ଅଭିଯୁକ୍ତଙ୍କ ସଂଖ୍ୟା ୭ ଗୁଣ ହୋଇଥିବାବେଳେ ପଶ୍ଚିମବଙ୍ଗରେ ୫ ଗୁଣ। କେରଳରେ ଦୋଷୀସାବ୍ୟସ୍ତ ଓ ନିର୍ଦ୍ଦୋଷ ମଧ୍ୟରେ ବ୍ୟବଧାନ ସର୍ବନିମ୍ନ ରହିଛି। ସେଠାରେ ୨୦.୫ ପ୍ରତିଶତ ଦୋଷମୁକ୍ତ ହୋଇଥିବାବେଳେ ୧୬.୪୯ ପ୍ରତିଶତ ଦୋଷୀସାବ୍ୟସ୍ତ ହୋଇଛନ୍ତି। ପୋକ୍ସୋ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୦୧୯ ଏବଂ ୨୦୨୦ ମଧ୍ୟରେ ପଡ଼ିରହିଥିବା ମାମଲା ସଂଖ୍ୟା ୨୪,୮୬୩ ବଢ଼ିଥିବା ଅଧ୍ୟୟନରୁ ଜଣାପଡ଼ିଛି।

Share