ଗ୍ରୀନ୍‌ କରିଡରରେ ଜଣଙ୍କୁ ଏମ୍ସ ସ୍ଥାନାନ୍ତର

କଟକ ଅଫିସ, ୧୨ା୮: କଟକ ଏସ୍‌ସିବି ମେଡିକାଲରେ ଶନିବାର ଏକାଥରକେ ଜନ୍ମ ହୋଇଥିବା ୪ ଶିଶୁକନ୍ୟାଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବୁଧବାର ଶିଶୁଭବନରୁ ଭୁବନେଶ୍ୱର ଏମ୍ସକୁ ନିଆଯାଇଛି। ଗ୍ରୀନ୍‌ କରିଡର ମଧ୍ୟରେ ମାତ୍ର ୨୦ ମିନିଟ୍‌ରେ ଶିଶୁକନ୍ୟାଙ୍କୁ ଏମ୍ସରେ ପହଞ୍ଚାଇ ଦିଆଯାଇଥିଲା। ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାବେଳେ ନିଃଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିଲା। ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରୀ ଟିମ୍‌ଙ୍କ ପରାମର୍ଶ କ୍ରମେ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିବା ଶିଶୁଭବନ ଅଧୀକ୍ଷକ ପ୍ରଫେସର ଜ୍ଞାନେନ୍ଦ୍ରନାଥ ବେହେରା କହିଛନ୍ତି। ସୂଚନାଯୋଗ୍ୟ, ଭଞ୍ଜନଗର ଡିହପଡା ଅଞ୍ଚଳର ଛବିତା ନାୟକ ଗର୍ଭବତୀ ଥିବାରୁ ପ୍ରସବ ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅଲଟ୍ରାସାଉଣ୍ଡ କରାଯିବା ପରେ ତାଙ୍କ ପେଟରେ ୪ଟି ସନ୍ତାନ ଥିବା ଜଣାପଡିଥିଲା। ଏଥିସହ ମହିଳାଙ୍କ ରକ୍ତହୀନତା, ଜଣ୍ଡିସ୍‌ ସହ ଅନେକ ରୋଗ ରହିଥିଲା। ତେବେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତ ଶନିବାର ଏସ୍‌ସିବି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଛବିତା ଏକା ସାଙ୍ଗରେ ୪ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ସେମାନଙ୍କ ଓଜନ ଭିନ୍ନଭିନ୍ନ ରହିଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିଲା। ତେଣୁ ସେମାନଙ୍କୁ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା। ଶନିବାର ରାତିରେ ଜଣଙ୍କର ଓ ରବିବାର ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ନବଜାତକଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ଘଟିବାରୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା।