ପ୍ରତି ୫ ଜଣରେ ଜଣେ ଗର୍ଭବତୀ କରୁଛନ୍ତି ଗର୍ଭପାତ …

ଓ୍ବାଶିଂଟନ, ୧୬।୬ : ଆମେରିକାରେ ଗର୍ଭପାତ ମାମଲା ବୃଦ୍ଧି ପାଇଛି। ସରକାରୀ ଆକଳନ ଅନୁଯାୟୀ, ଦୀର୍ଘ ଦିନ ଧରି କମ ମାମଲା ପରେ ୨୦୧୭ ତୁଳନାରେ ୨୦୨୦ ରେ ଦେଶରେ ଗର୍ଭପାତ ସଂଖ୍ୟା ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ୨୦୨୦ ରେ ପ୍ରତି ପାଞ୍ଚଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ଜଣେ ଗର୍ଭପାତ କରିଥିଲେ।

୧୯୭୩ ର ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଶୀର୍ଷ ଅଦାଲତ ପ୍ରସ୍ତୁତ ହେଉଥିବା ସମୟରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଗର୍ଭପାତ ଅଧିକାରକୁ ପ୍ରୋତ୍ସାହିତ କରୁଥିବା ଏକ ଅନୁସନ୍ଧାନ ଗୋଷ୍ଠୀ ଗୁଟମାଚର୍‌ ଇନଷ୍ଟିଚ୍ୟୁଟର ରିପୋର୍ଟ ଅନୁଯାୟୀ, ୨୦୨୦ରେ ଆମେରିକାରେ ୯,୩୦,୦୦୦ରୁ ଅଧିକ ଗର୍ଭପାତ ହୋଇଥିଲା। ୨୦୧୭ରେ ଏହି ସଂଖ୍ୟା ୮,୨୬,୦୦୦ଥିଲା।

୧୯୭୩ରେ ଆମେରିକାର ସୁପ୍ରିମକୋର୍ଟଙ୍କ ରାୟ ପରେ ଜାତୀୟ ଗର୍ଭପାତ ସଂଖ୍ୟା ସର୍ବନିମ୍ନ ରହିଥିଲା। ୧୯୭୩ର ବିଚାରରେ, କୋର୍ଟ ସାରା ଦେଶରେ ଗର୍ଭପାତ ପ୍ରକ୍ରିୟାକୁ ଆଇନଗତ କରିଥିଲେ। ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ଗୁଟମାଚର୍‌ ଇନଷ୍ଟିଚ୍ୟୁଟ ଅନୁଯାୟୀ, ୨୦୨୦ରେ ୫୪ ପ୍ରତିଶତ ମାମଲାରେ ମହିଳାମାନେ ଗର୍ଭପାତ ପାଇଁ ଔଷଧର ବ୍ୟବହାର କରିଥିଲେ। ତେବେ, କୋଭିଡ-୧୯ ଯୋଗୁ ଆମେରିକାର କେତେକ ରାଜ୍ୟରେ ଗର୍ଭପାତ ମାମଲା ମଧ୍ୟ ହ୍ରାସ ପାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୨୦୨୦ ରେ କମ ମହିଳା ଗର୍ଭବତୀ ହୋଇଥିଲେ। ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟକ ମହିଳା ଗର୍ଭପାତ କରିଥିଲେ।

ସରକାରୀ ତଥ୍ୟ ଅନୁଯାୟୀ, ୨୦୨୦ ରେ ଗର୍ଭପାତ ହାର ୧୫-୪୪ ବର୍ଷ ବୟସ୍କା ମହିଳା ବର୍ଗରେ ପ୍ରତି ୧୦୦୦ ମହିଳାଙ୍କ ପିଛା ୧୪.୪ ପ୍ରତିଶତଥିଲା। ଏହା ୨୦୧୭ରେ ପ୍ରତି ୧୦୦୦ ମହିଳାଙ୍କ ପିଛା ୧୩.୫ ପ୍ରତିଶତ ଥିଲା। ପଶ୍ଚିମ ଆମେରିକାରେ ଗର୍ଭପାତ ୧୨ ପ୍ରତିଶତ, ମଧ୍ୟ-ପଶ୍ଚିମରେ ୧୦ପ୍ରତିଶତ, ଦକ୍ଷିଣରେ ୮ ପ୍ରତିଶତ ଏବଂ ଉତ୍ତର-ପୂର୍ବରେ ୨ ପ୍ରତିଶତ ବୃଦ୍ଧି ପାଇଛି।

Share