Categories: ଜାତୀୟ

ମାସକର ଶିଶୁକୁ ଝୁଣି ମାରିଦେଲେ କୁକୁର

ଜୟପୁର, ୧।୩: ରାଜସ୍ଥାନର ସିରୋହି ଜିଲାର ଏକ ହସ୍ପିଟାଲରେ ମାସକର ଶିଶୁକୁ ବୁଲା କୁକୁର ଘୋଷାଡ଼ି ନେଇ ଝୁଣି ମାରିଦେଇଛନ୍ତି। ଶିଶୁଟି ହସ୍ପିଟାଲର ଟିବି ଓ୍ବାର୍ଡରେ ମାଆ ପାଖରେ ଶୋଇଥିଲା। ସୋମବାର ରାତିରେ ଏହି ଘଟଣା ଘଟିଛି। ଦୁଇଟି ବୁଲା କୁକୁର ଟିବି ଓ୍ବାର୍ଡରେ ପଶୁଥିବା ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି। ସେଥିରୁ ଗୋଟିଏ କୁକୁର ଶିଶୁଟିକୁ କାମୁଡ଼ି ଧରି ବାହାରକୁ ଆସିଥିଲା। ପୋଲିସ କହିବା ଅନୁଯାୟୀ ଶିଶୁଟିର ବାପା ମହେନ୍ଦ୍ର ମିନା ଟିବିରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ସ୍ତ୍ରୀ ପିଲାମାନଙ୍କ ସହ ସେଠାରେ ଥିଲେ। ମାଆ ଶୋଇପଡ଼ିଥିବାବେଳେ କୁକୁର ଶିଶୁଟିକୁ ଉଠାଇ ନେଇଥିଲା। ସେହି ସମୟରେ ଟିବି ଓ୍ବାର୍ଡରେ ହସ୍ପିଟାଲର କୌଣସି କର୍ମଚାରୀ ମଧ୍ୟ ନ ଥିଲେ। ମେଡିକାଲ ବୋର୍ଡ ଦ୍ୱାରା ଶିଶୁର ଶବ ବ୍ୟବଚ୍ଛେଦ କରାଯାଇଛି। ଅଧିକ ତଦନ୍ତ ପରେ ମାମଲା ରୁଜୁ ହେବ ବୋଲି ଏସ୍‌ଏଚ୍‌ଓ କହିଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ଶିଶୁ ମୃତ୍ୟୁ ଘଟଣାର ତଦନ୍ତ ଚଳାଇଛନ୍ତି।
ଅନ୍ୟପକ୍ଷରେ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ପୋଲିସ ଶିଶୁର ମାଆଙ୍କଠାରୁ ସାଦା କାଗଜରେ ଦସ୍ତଖତ ନେଇଥିବା ତାଙ୍କ ସ୍ବାମୀ ମହେନ୍ଦ୍ର ଅଭିଯୋଗ କରିଛନ୍ତି। ମାଆବାପାଙ୍କୁ ନ ଜଣାଇ ଶିଶୁର ଶେଷକୃତ୍ୟ କରିଦିଆଯାଇଛି। ଏପରିକି ଶିଶୁର ମୁହଁ ମଧ୍ୟ ତାଙ୍କୁ ଦେଖିବାକୁ ଦିଆଯାଇ ନ ଥିବା ମହେନ୍ଦ୍ର କହିଛନ୍ତି। ହସ୍ପିଟାଲରୁ ଶିଶୁଟିକୁ ବୁଲା କୁକୁର ନେଇଯାଇ ମାରିଦେବା ଘଟଣାକୁ ଭାଜପା ଜିଲା ସଭାପତି ନାରାୟଣ ପୁରୋହିତ ନିନ୍ଦା କରିବା ସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏଥିପାଇଁ ଦାୟୀ କରିଛନ୍ତି।

Share