Categories: ଜାତୀୟ

ମାସକର ନାତୁଣୀକୁ ୧ଲକ୍ଷ ଟଙ୍କାରେ ବିକ୍ରି କଲେ ଆଇ

ହାଇଦ୍ରାବାଦ,୨୯।୮: ଘରେ ସନ୍ତାନ ଜନ୍ମ ନେଲେ ପରିବାରର ଖୁସି କହିଲେ ନ ସରେ। ସମସ୍ତେ ଶିଶୁଟିର ଲାଳନ ପାଳନରେ ଲାଗିପଡ଼ିଥାନ୍ତି। କିନ୍ତୁ କେତେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ବାର୍ଥ ପାଇଁ ଶିଶୁଙ୍କୁ ବ୍ୟବହାର କରିଥାନ୍ତି। ଯାହା ପରବର୍ତ୍ତୀ ସମୟରେ ସବୁ ସମ୍ପର୍କକୁ ଭାଙ୍ଗିଦେଇଥାଏ। ମାନବିକତାକୁ ଲଜ୍ଜିତ କରିଦେବା ଭଳି ଘଟଣା ଘଟିଛି ତେଲେଙ୍ଗାନାର ହୁଜୁରବାଦରେ। ଜଣେ ଆଇ ଋଣ ପରିଶୋଧ ପାଇଁ ନିଜର ମାସକ ନାତୁଣୀକୁ ୧ଲକ୍ଷ ଟଙ୍କାରେ ବିକ୍ରି କରିଦେଇଛନ୍ତି। ସୂଚନାଯୋଗ୍ୟ, କରୀମନଗର ଜିଲାର ବିଣାବଙ୍କା ଗ୍ରାମର ପ୍ରଜ୍ଞା ଓ ରମେଶଙ୍କ ଗତ ୪ବର୍ଷ ପୂର୍ବରୁ ପ୍ରେମ ବିବାହ କରିଥିଲେ। ଏହି ବିବାହକୁ ପ୍ରଜ୍ଞାଙ୍କ ପରିବାର ଲୋକ ବିରୋଧ କରିଥିଲେ। ତେବେ ମାସକ ପୂର୍ବରୁ ହାଇଦ୍ରାବାରେ ପ୍ରଜ୍ଞା ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ନିକଟରେ ପଜ୍ଞା ସନ୍ତାନକୁ ନେଇ ନିଜ ବାପଘରକୁ ଆସିଥିଲେ। ଗତ ୪ଦିନ ତଳେ ପଜ୍ଞାଙ୍କ ମା’ କନକମ୍ମା ଉକ୍ତ ଶିଶୁଙ୍କୁ ପେଡାପଲ୍ଲି ଜିଲାର ଜଣେ ବ୍ୟକ୍ତିଙ୍କୁ ୧ଲକ୍ଷ ୧୦ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ଏହାପରେ ଘରୁ ଉକ୍ତ ଶିଶୁ ନିଖୋଜ ହୋଇଯାଇଛି ବୋଲି କନକମ୍ମା ପ୍ରଜ୍ଞାଙ୍କୁ କହିଥିଲେ। କିନ୍ତୁ ପ୍ରଜ୍ଞାଙ୍କୁ ମା’ଙ୍କ କଥାରେ ବିଶ୍ୱାସ ହୋଇ ନ ଥିଲା ଏବଂ ସେ ନିଜେ ପତ୍ତା ଲଗାଇବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ତାଙ୍କ ମା’ଙ୍କ ମିଛ ପଦାରେ ପଡ଼ିଥିଲା। ଏନେଇ ପ୍ରଜ୍ଞା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କନକମ୍ମାଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଚଳାଇଛି। ଏଥିସହ ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ଓ ଶିଶୁଙ୍କୁ ଖୋଜିବାରେ ଲାଗିପଡ଼ିଛି ପୋଲିସ। ତେବେ ଯାଞ୍ଚ ସମୟରେ ଜଣାପଡ଼ିଛି ଯେ, ଝିଅର ପ୍ରେମ ବିବାହ ବିରୋଧରେ ଥିବା ସହ ଆର୍ଥିକ ଅନାଟନ ଯୋଗୁ ସେ ନିଜ ନାତୁଣୀଙ୍କୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କନକମ୍ମା କହିଛନ୍ତି। ତେବେ ଏଭଳି କେତେକ ଖଳପ୍ରକୃତିର ଲୋକଙ୍କ ପାଇଁ ସଭ୍ୟ ସମାଜ କଳଙ୍କିତ ହେବା ସହ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି।

Share