କୋଭିଡ୍‌ରେ ରାଜ୍ୟକୁ ଫେରିଛନ୍ତି ୧୦ ଲକ୍ଷ ଶ୍ରମିକ

ଭୁବନେଶ୍ୱର,୨୪।୨(ବ୍ୟୁରୋ): କୋଭିଡ୍‌ ସମୟରେ ରାଜ୍ୟ ବାହାରୁ ୧୦ ଲକ୍ଷ ୭ ହଜାର ୩୩୦ ପ୍ରବାସୀ ଶ୍ରମିକ ଓଡ଼ିଶାକୁ ଫେରିଥିଲେ। ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୫୩୫ ଜଣଙ୍କୁ ଟେଲିଫୋନ ଯୋଗେ ଯୋଗାଯୋଗ କରାଯାଇଛି। ସେମାନଙ୍କ ମଧ୍ୟରୁ ୩୫୦୯ ଜଣ ବିଭିନ୍ନ ରାଜ୍ୟକୁ ଫେରି ଯାଇଛନ୍ତି। ଏହାଛଡା ୬୨ ହଜାର ଶ୍ରମିକ ବଲାଙ୍ଗୀର, ବରଗଡ, କଳାହାଣ୍ଡି ଓ ନୂଆପଡା ଜିଲାରେ ଏବେ ସୁଦ୍ଧା ଅଛନ୍ତି। ସେମାନଙ୍କ ମଧ୍ୟରୁ ୩୪ ହଜାର ୭୪୦ ଶ୍ରମିକଙ୍କୁ ଠିକ୍‌ ଟେଲିଫୋନ ନମ୍ବର ଅଭାବ ଯୋଗୁ ଯୋଗାଯୋଗ ସମ୍ଭବ ହେଉନାହିଁ। ଫେରନ୍ତା ଶ୍ରମିକମାନଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯାଇଛି। ଏହାଛଡା ରାଜ୍ୟସ୍ତରୀୟ ସିଙ୍ଗଲ୍‌ଓ୍ବିଣ୍ଡୋ କ୍ଲିୟରାନ୍ସ କମିଟି ଅଥରିଟି ୫୨ ପ୍ରକଳ୍ପ ଅନୁମୋଦନ କରିଛନ୍ତି। ଯଦ୍ଦ୍ବାରା ରାଜ୍ୟରେ ୧,୧୭,୮୦୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୫୩ ହଜାର ୭୮୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭାବନା ରହିଛି। ଭାଜପା ସଭ୍ୟ ମୁକେଶ ମହାଲିଙ୍ଗଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂହ ଏହି ସୂଚନା ଦେଇଛନ୍ତି। ମୁକେଶ ଅତିରିକ୍ତ ପ୍ରଶ୍ନରେ କହିଲେ, ରାଜ୍ୟକୁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମିକ ଫେରିଛନ୍ତି। ସରକାରଙ୍କ ପାଖରେ ହିସାବ ନାହିଁ। ମନ୍ତ୍ରୀ କହିଲେ ୨୦ ଲକ୍ଷ ଶ୍ରମିକ ଫେରିବା ଖବର ବିଧାୟକଙ୍କ ପାଖରେ କେଉଁଠୁ ଆସିଲା ତାହା ଜାଣିପାରୁ ନାହିଁ। ରାଜ୍ୟକୁ ଫେରିଥିବା ଶ୍ରମିକମାନଙ୍କୁ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ ଯୋଗାଇ ଦେବା ବ୍ୟବସ୍ଥା କରିଛନ୍ତି। ବଲାଙ୍ଗୀର, ନୂଆପଡା, ବରଗଡ ଓ କଳାହାଣ୍ଡି ଜିଲାର ୪୨୦ ବ୍ଲକରେ ଶ୍ରମିକମାନଙ୍କୁ ୧୦୦ ଦିନର କାମ ଯୋଗାଇ ଦିଆଯିବା ବ୍ୟବସ୍ଥା ହୋଇଛି। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ, ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ କରୋନା ମହାମାରୀରେ ରାଜ୍ୟକୁ ଫେରିଥିବା ଶ୍ରମିକଙ୍କ ହିସାବ ଶ୍ରମମନ୍ତ୍ରୀଙ୍କ ପାଖରେ ନାହିଁ। ସେମାନଙ୍କୁ କାମ ଯୋଗାଇବାକୁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ, କେବଳ ଶ୍ରମିକ ନୁହନ୍ତି ଅନ୍ୟ ଲୋକ ଯେଉଁମାନେ ବିଭିନ୍ନ କାର୍ଯ୍ୟରେ ଅନ୍ୟ ରାଜ୍ୟରେ ରହିଛନ୍ତି ସେମାନେ ମଧ୍ୟ ଓଡ଼ିଶା ଫେରି ଆସିଛନ୍ତି।