ଯବାନ-ମାଓବାଦୀ ଗୁଳି ବିନିମୟ: ଜଣେ ମାଓବାଦୀ ନିହତ, ୨ ଗିରଫ

ମାଲକାନଗିରି, ୧୮ା୪(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ମଙ୍ଗଳବାର ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀ ନିହତ ହୋଇଛନ୍ତି। ୨ଜଣ ମାଓବାଦୀ ଧରାପଡିଛନ୍ତି। ମୃତ ମାଓବାଦୀଙ୍କ ପରିଚୟ ମିଳିପାରିନାହିଁ।
ଖବରରୁ ଜଣାପଡିଛି, ବିଜାପୁର ଜିଲା ଡିଆରଜି ଯବାନମାନେ ସକାଳ ୮ଟାରେ କାଚଲାୱାରି ଜଙ୍ଗଲରେ କୋମ୍ବିଂ ଅପରେଶନ କରୁଥିବା ବେଳେ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯବାନମାନେ ମଧ୍ୟ ଏହାର ଉପଯୁକ୍ତ ଜବାବ ଦେଇଥିଲେ। ଉଭୟପକ୍ଷଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଜାରି ରହିଥିଲା। ଶେଷରେ ଯବାନଙ୍କ ସାମ୍ନା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ପଳାଇଥିଲେ। ପରେ ଜଙ୍ଗଲରେ ତଲାସି ବେଳେ ଜଣେ ପୁରୁଷ ମାଓବାଦୀଙ୍କ ମୃତଦେହ ମିଳିଥିଲା। ସେହିପରି ଲୁଚି ରହିଥିବା ଦୁଇ ଜଣ ମାଓବାଦୀଙ୍କୁ ମଧ୍ୟ ଯବାନମାନେ ଧରିଥିଲେ। ଉଭୟଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଥିବାରୁ ତାଙ୍କୁ ସେଠାରୁ ଆଣି ଚିକିତ୍ସା କରାଯାଉଛି। ସମ୍ପୃକ୍ତ ଅଞ୍ଚଳରୁ କିଛି ପରିମାଣରେ ବିଭିନ୍ନ ମାଓବାଦୀ ସାମଗ୍ରୀ ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା କାଚଲାୱାରି ଅଞ୍ଚଳରେ କୋମ୍ବିଂ ଅପରେଶନ ଜାରି ରହିଥିବା ପୋଲିସ ଅଧୀକ୍ଷକ ଅଞ୍ଜନେୟ ଭର୍ସନ କହିଛନ୍ତି।