Categories: ଜାତୀୟ

ଗରିବଙ୍କୁ ୧ଲକ୍ଷ ମାଗଣା ମାସ୍କ

ଆଗ୍ରା,୨୦।୭: କରୋନା ସଂକ୍ରମଣ ବେଳକୁ ବେଳ ବ୍ୟାପି ଚାଲିଥିବା ବେଳେ ଏବେ ଏଥିରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଉଛି। କିନ୍ତୁ ଏହି ସମୟରେ ଗରିବମାନେ ମାସ୍କ ନ କିଣି ପାରୁଥିବାରୁ ଆଗ୍ରାର କେତେଜଣ ଶିଖ ପରିବାର ନିଜ ପୁରୁଣା ପଗଡିରୁ ମାସ୍କ ତିଆରି କରି ବିତରଣ କରିବାକୁ ସ୍ଥିର କରିଛନ୍ତି। ଏମାନେ ପୁରୁଣା ପଗଡିକୁ କାଟି ଘରେ ମାସ୍କ ତିଆରି କରୁଛନ୍ତି। ପାଖାପାଖି ୧ ଲକ୍ଷ ମାସ୍କ ତିଆରି କରି ଏମାନେ ଗରିବଙ୍କୁ ବାଣ୍ଟିବାକୁ ଲକ୍ଷ୍ୟ ରଖିଛନ୍ତି। ‘ଟରବନ ଫର୍‌ ମାସ୍କ’ ନାମକ ଏହି ଅଭିଯାନର ଆରମ୍ଭ ଗୁରୁଦ୍ୱାର ଗୁରୁର ତାଲରୁ କରାଯାଇଛି। ଜୁଲାଇ ମାସ ଆରମ୍ଭରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। କେବଳ ଆଗ୍ରାରେ ଏମାନେ ୧ଲକ୍ଷ ମାସ୍କ ବିତରଣ କରିବାକୁ ଯୋଜନା ରଖିଛନ୍ତି। ପ୍ରଥମେ ଶିଖ ପରିବାରରୁ ସେମାନଙ୍କ ପୁରୁଣା ପଗଡି ଏକାଠି କରି ତାକୁ ସାନିଟାଇଜ କରାଯିବା ପରେ ମାସ୍କ ତିଆରି କରାଯାଇ ବଣ୍ଟାଯିବ ବୋଲି ଏମାନେ କୁହନ୍ତି।

Share