ବଂଶଧାରାରେ ବୁଡ଼ି ଜଣଙ୍କ ମୃତ୍ୟୁ, ମିଳୁନି ଅନ୍ୟ ଜଣଙ୍କ ପତ୍ତା

କାଶୀନଗର,୧୦ା୯(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟ ବଂଶଧାରା ନଦୀରେ ଗୁରୁବାର ସନ୍ଧ୍ୟାରେ ୨ ନାବାଳକ ବୁଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ରାତିରେ ଜଣଙ୍କ ମୃତଦେହ ଠାବ କରାଯାଇଥିଲା। ହେଲେ ୨୪ ଘଣ୍ଟା ପରେ ମଧ୍ୟ ଅନ୍ୟ ଜଣଙ୍କ ପତ୍ତା ମିଳିନାହିଁ। ମୃତକ ହେଲେ କାଶୀନଗର ମେନ୍‌ରୋଡ଼ ଅଞ୍ଚଳର ଚନ୍ଦ୍ରଶେରଖ ସ୍ବାଇଁଙ୍କ ପୁଅ ରଞ୍ଜନ (୧୪)। ତାଙ୍କ ପଡ଼ୋଶୀ ହାସବା ଲିଙ୍ଗନଙ୍କ ପୁଅ ବନାମ ଗଣେଶ (୧୪) ନିଖୋଜ ଅଛନ୍ତି। ଅଗ୍ନିଶମ କର୍ମଚାରୀମାନେ ଖୋଜାଖୋଜି କରିଥିଲେ ମଧ୍ୟ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳି ନାହିଁ।

ମିଳିଥିବା ସୂଚନା ମୁତାବକ, ଦୁଇ ସାଙ୍ଗ ରଞ୍ଜନ ଓ ବନାମ ଗୁରୁବାର ଅପରାହ୍ନରେ ଖେଳିବାକୁ ଯାଉଛନ୍ତି କହି ଘରୁ ବାହାରିଥିଲେ। ସନ୍ଧ୍ୟାରେ ବଂଶଧାରା ନଦୀ ଘାଟରେ ସାଇକେଲ ରଖି ଉଭୟେ ଗାଧୋଇବାକୁ ଯାଇଥିଲେ। କୌଣସି ପ୍ରକାରେ ଜଣକ ପରେ ଜଣେ ନଦୀରେ ବୁଡ଼ିଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ରଞ୍ଜନ ଓ ବନାମଙ୍କ ପରିବାର ଲୋକ ଖୋଜାଖୋଜି କରିଥିଲେ। କୌଣସି ସନ୍ଧାନ ନ ମିଳିବାରୁ କାଶୀନଗର ଥାନାରେ ଜଣାଇଥିଲେ। ନଦୀ ଘାଟରେ ଗୋଟିଏ ସାଇକେଲ ଓ ଦୁଇହଳ ଚପଲ ରହିଥିବାରୁ ସେମାନେ ଭାସିଯାଇଥିବା ସନ୍ଦେହ କରାଯାଇଥିଲା। ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଏ ନେଇ ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ। ଗୁରୁବାର ରାତିରେ ଦମକଳ କର୍ମଚାରୀମାନେ ଖୋଜାଖୋଜି କରି ନଦୀରୁ ରଞ୍ଜନଙ୍କ ମୃତଦେହ ଠାବ କରିଥିଲେ। ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ରଞ୍ଜନଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ କାଶୀନଗର ଥାନାରେ ନଂ. ୬/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।