ଭସାଣି ଶୋଭାଯାତ୍ରାରେ ବିଦ୍ୟୁତ୍‌ ତାର ଲାଗି ଜଣେ ମୃତ

ମାର୍ଶାଘାଇ, ୧୯ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ କଣକଷଟି ଗଁାରେ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଶୋଭଯାତ୍ରା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ଶୋଭାଯାତ୍ରାରେ ଯାଉଥିବା ଡିଜେ ଗାଡ଼ିର ଲୁହା ଆଙ୍ଗେଲରେ ୩୩ କେଭି ବିଦ୍ୟୁତ୍‌ ତାର ଲାଗିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ କଣକଷଟି ଗ୍ରାମର ବିଶ୍ୱଜିତ ଲେଙ୍କା (୨୮)। ଆହତମାନେ ହେଲେ ସେହି ଗ୍ରାମର ପର୍ଶୁରାମ ଦାସ (୪୫), ଅଂଶୁମାନ ଲେଙ୍କା (୧୩), ମନୋଜ ସେଠୀ (୧୪), ସାଇଲ ଦାସ(୧୩)। ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏଥିପାଇଁ ଗ୍ରାମବାସୀ ବିଦ୍ୟୁତ୍‌ ବିଭାଗକୁ ଦାୟୀ କରିବା ସହିତ ମୃତ ଓ ଆହତଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ ହୋଇଛି।
ସୂଚନା ଅନୁଯାୟୀ, ମଙ୍ଗଳବାର କଣକଷଟି ଗଁାର ମା’ ଗଜଲକ୍ଷ୍ମୀ ଭୋଗଖାଇ ଭସାଣି ଶୋଭାଯାତ୍ରାରେ ପାଖ ପେହେଣ୍ଟା ଗଁାକୁ ଯାଉଥିଲେ। ମେଢ଼ ପଛରେ ଆସୁଥିବା ଡିଜେ ଗାଡିଟି ଗାଁ ଦେଇ ଯାଉଥିବା ସମୟରେ ଲୁହା ଆଙ୍ଗେଲରେ ଥିବା ସାଉଣ୍ଡ ବକ୍ସ ୩୩ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା। ଏହି ସମୟରେ ବିଶ୍ୱଜିତ୍‌ ଡିଜେ ଗାଡ଼ି ଉପରକୁ ଯାଇ ବାଉଁଶ ସହାୟତାରେ ବିଦ୍ୟୁତ୍‌ ତାରକୁ ଟେକିବାକୁ ଚେଷ୍ଟା କରିଥିଲେ। ହେଲେ ବିଦ୍ୟୁତ୍‌ ଶକ୍ତ ଆଘାତ ଲାଗିବାରୁ ସେ ତଳକୁ ଛିଟିକି ପଡିଥିଲେ। ତାଙ୍କର ଏପରି ଅବସ୍ଥା ଦେଖି ପର୍ଶୁରାମ, ଅଂଶୁମାନ, ମନୋଜ ଓ ସାଇଲ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନଙ୍କ ମଧ୍ୟ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ଏହି ଘଟଣା ପରେ ଖୁବ୍‌ ଧୁମ୍‌ଧାମରେ ଚାଲିଥିବା ଭସାଣି ଶୋଭାଯାତ୍ରା ବନ୍ଦ ହୋଇଯାଇଥିଲା ା ତୁରନ୍ତ ସମସ୍ତ ଆହତଙ୍କୁ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ବିଶ୍ୱଜିତଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ଅନ୍ୟ ୪ ଜଣଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ବିଶ୍ୱଜିତ୍‌ଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ଗଁାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦ ବୋବାଳିରେ ମୃତକଙ୍କ ଘର ଫାଟି ପଡ଼ିଥିଲା। ସୂଚନାଯୋଗ୍ୟ, ବିଶ୍ୱଜିତ୍‌ ଶତ୍ରୁଘ୍ନ ଲେଙ୍କାଙ୍କ ଏକମାତ୍ର ପୁଅ ଥିଲେ। ସେ ବାଙ୍ଗାଲୋରରେ ଚାକିରି କରୁଥିଲେ। ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଛୁଟିରେ ଘରକୁ ଆସିଥିଲେ। ହେଲେ ଏପରି ଘଟଣା ସବୁ ଯେମିତି ଓଲଟପାଲଟ କରି ଦେଇଥିଲା। ଅନ୍ୟପକ୍ଷେ ପୂଜା କମିଟି କର୍ମକର୍ତ୍ତାଙ୍କ କହିବା ଅନୁଯାୟୀ, ପ୍ରସ୍ତୁତି ବୈଠକ ବେଳେ ଭସାଣି ଶୋଭାଯାତ୍ରା ସମୟରେ ବିଦ୍ୟୁତ୍‌ ସରବରାହ ବନ୍ଦ ପାଇଁ ଟାଟା ପାୱାରକୁ ଅନୁରୋଧ କରାଯାଇଥିଲା। ବିଭାଗର ଖାମଖିଆଲ ନୀତି ଯୋଗୁ ଜଣଙ୍କ ଜୀବନ ଗଲା ବୋଲି କମିଟି କର୍ମକର୍ତ୍ତା କହିଛନ୍ତି। ଏ ନେଇ ଗ୍ରାମବାସୀ ଟାଟା ପାଓ୍ବାର କମ୍ପାନୀ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଥିବା ଆଇଆଇସି ଜ୍ୟୋତି ରଞ୍ଜନ ସାମନ୍ତରାୟ କହିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।