ଦିନେ ସୁଶାନ୍ତଙ୍କ ଭଳି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ବିବେକ୍‌

ମୁମ୍ବାଇ: ବଲିଉଡ ଅଭିନେତା ବିବେକ୍‌ ଓବରୋଇ ତାଙ୍କର ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ଏକ ଚକୋଲେଟ ବୟ କିମ୍ବା ଗ୍ୟାଙ୍ଗଷ୍ଟରର ଭୂମିକା ହୋଉ ସେ ତାଙ୍କର ସମସ୍ତ ଭୂମିକା ବେଶ୍‌ ଭଲ ଭାବେ ଲିଭାଇଛନ୍ତି। ହେଲେ ଏକ ସମୟ ଥିଲା ଯେତେବେଳେ ତାଙ୍କୁ ତାଙ୍କ କ୍ୟାରିୟରରେ ସମସ୍ତ ପ୍ରକାରର ଉତ୍ଥାନପତନ ଦେଇ ଗତି କରିବାକୁ ପଡିଛି। ଏପରିକି ସେ ନିଜ ଜୀବନକୁ ଶେଷ କରିବାକୁ ମଧ୍ୟ ଚିନ୍ତା କରିଥିଲେ। ତେବେ ଏହି କଷ୍ଟ ସମୟରେ ବିବେକ୍‌ଙ୍କ ସ୍ତ୍ରୀ ପ୍ରିୟଙ୍କା ତାଙ୍କୁ ବହୁତ ସମର୍ଥନ କରିଥିଲେ। ନିକଟରେ ଏକ ସାକ୍ଷାତକାର ସମୟରେ ବିବେକ ତାଙ୍କ ଜୀବନର ଖରାପ ସମୟକୁ ମନେ ପକାଇଥିଲେ। ସେ କହିଥିଲେ, ମୋ ଚାରିପାଖରେ ଥିବା ନକରାତ୍ମକତା ମୋତେ ସବୁବେଳେ ଅସୁବିଧାରେ ପକାଉଥିଲା ଏବଂ ବୋଧହୁଏ ଏହା ଏଜେଣ୍ଡା ଥିଲା। ଏଜେଣ୍ଡା ବେଳେବେଳେ ଆପଣଙ୍କୁ ମାନସିକ ସ୍ତରରେ ଭାଙ୍ଗେ, କିନ୍ତୁ ମୁଁ ଭାବୁଛି ପ୍ରିୟଙ୍କା ମୋ ଜୀବନରେ ସେହି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବିବେକ୍‌ ବିଶ୍ୱାସ କରନ୍ତି ଯେ, ପରିବାର ଏବଂ ପ୍ରଶଂସକଙ୍କ ପ୍ରେମ ତାଙ୍କୁ ନିଜକୁ ସମ୍ଭାଳିବାରେ ବହୁତ ସାହାଯ୍ୟ କରିଥିଲା, ନଚେତ୍‌ ସେ ସବୁକିଛି ହରାଇଥାନ୍ତେ। ଏଥିସହ ସେ କହିଛନ୍ତି ସୁଶାନ୍ତଙ୍କ ଭଳି ଅନ୍ୟ ଯେଉଁ ଅଭିନେତାମାନେ ଆତ୍ମହତ୍ୟା କରିଛନ୍ତି ତାଙ୍କର ସେ କଷ୍ଟକୁ ସେ ବୁଝିପାରିଛନ୍ତି। କାରଣ, ଦିନେ ସେ ବି ଏହି ସମୟ ଦେଇ ଗତି କରିଛନ୍ତି ବୋଲି ବିବେକ୍‌ କହିଛନ୍ତି।

Share