Categories: ଜାତୀୟ

ଦିନେ ନା ଦିନେ ସତ ସାମ୍ନାକୁ ଆସିବ: ମୋଦି

ନୂଆଦିଲ୍ଲୀ, ୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କର୍ନାଟକର ତୁମାକୁରୁ ଜିଲାର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ(ହାଲ)ର ଦେଶର ସର୍ବବୃହତ ହେଲିକପ୍ଟର ଉତ୍ପାଦନ ୟୁନିଟର ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମେ ସରକାରୀ ପ୍ରତିରକ୍ଷା କମ୍ପାନୀଗୁଡିକରେ ସଂସ୍କାର ଆଣି ଘରୋଇ କ୍ଷେତ୍ର ପାଇଁ ମଧ୍ୟ ଦ୍ୱାର ଖୋଲିଥିଲୁ … କିଛି ବର୍ଷ ପୂର୍ବେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡକୁ ଏକ ବାହାନା ଭାବରେ ବ୍ୟବହାର କରି ଆମ ସରକାରଙ୍କ ବିରୋଧରେ ବିଭିନ୍ନ ମିଥ୍ୟା ଅଭିଯୋଗ ଆସିଥିଲା। ଏହି ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ନାଁ ନେଇ ଲୋକଙ୍କୁ ଉତ୍ତେଜିତ କରିବା ପାଇଁ ଷଡଯନ୍ତ୍ର କରାଯାଇଥିଲା। ଲୋକମାନେ ଉତ୍ତେଜିତ ହୋଇଥିଲେ, ପାର୍ଲାମେଣ୍ଟର ସମୟ ନଷ୍ଟ କରାଯାଇଥିଲା, କିନ୍ତୁ ମିଛ ଯେତେ ବଡ଼ ହେଉନା କାହିଁକି, ଯେତେଥର କୁହାଯାଉନା କାହିଁକି, ଦିନେ ଏହା ସତ୍ୟ ସାମ୍ନାରେ ହଜିଯାଏ।
ସୂଚeନାଯୋଗ୍ୟ, ୨୦୧୭-୧୮ ମଧ୍ୟରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାରଙ୍କୁ ରାଫାଲ ବିମାନ କ୍ରୟରେ ଅନିୟମିତତା ପାଇଁ ସଂସଦକୁ ଘେରି ରହିଥିଲେ। ଏଥିସହ ସେ ନରେନ୍ଦ୍ର ମୋଦି ସରକାରଙ୍କୁ ରାଫାଲ ଚୁକ୍ତିନାମାକୁ ହାଲରୁ ଛଡ଼ାଇ ନେଇ ଅନିଲ ଅମ୍ବାନୀଙ୍କ କମ୍ପାନୀକୁ ଉପହାର ଦେଇଥିବା ଅଭିଯୋଗ ହୋଇଥିଲା। ହାଲ ହେଉଛି ଭାରତର ରଣନୀତିକ ସମ୍ପତ୍ତି। ରାଫାଲ ଚୁକ୍ତିନାମାକୁ ହାଲରୁ ଛଡ଼ାଇ ଅନୀଲ ଅମ୍ବାନୀଙ୍କ କମ୍ପାନୀକୁ ଦେଇ ଭାରତର ଏରୋସ୍ପେସ ଇଣ୍ଡଷ୍ଟ୍ରିର ଭବିଷ୍ୟତ ନଷ୍ଟ ହୋଇଯାଇଛି।
ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ୫୮,୦୦୦ କୋଟି ଟଙ୍କା ରାଫାଲ ଯୁଦ୍ଧ ବିମାନ ଚୁକ୍ତିରେ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରି ଦୁର୍ନୀତି ଏବଂ ପକ୍ଷପାତିତା ଅଭିଯୋଗ କରିଥିଲେ।

Share