Categories: ଖେଳ

ଦିନେ ରାସ୍ତାରେ ଭୋକିଲା ବୁଲୁଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

କେନିଆର ପୂର୍ବତନ ଅଧିନାୟକ ମରିସ ଓଡୁମ୍ବେ ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। କେନିଆର ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ଓଡୁମ୍ବେ ଅନ୍ୟତମ। ତାଙ୍କ ଅଧିନାୟକତ୍ୱରେ ୧୯୯୬ ବିଶ୍ୱକପ୍‌ରେ କେନିଆ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଏକ ବଡ଼ ଓଲଟପାଲଟ କରିଥିଲା। କେନିଆ ୱେଷ୍ଟଇଣ୍ଡିଜକୁ ୭୩ ରନ ବ୍ୟବଧାନରେ ପରାସ୍ତ କରିଥିଲା। ଓଡୁମ୍ବେ ସେହି ମ୍ୟାଚର ହିରୋ ହୋଇଥିଲେ। ସେ ମାତ୍ର ୧୪ ରନ ଦେଇ ୩ଟି ଉଇକେଟ ନେଇଥିଲେ। ୨୦୦୩ ବିଶ୍ୱକପରେ କେନିଆ ଇତିହାସ ସୃଷ୍ଟି କରିଥିଲା। ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବିଶ୍ୱକପରେ ଦୁର୍ବଳ ଦଳ କେନିଆର ସେମିଫାଇନାଲରେ ପ୍ରବେଶ କରିଥିଲା । କେନିଆର ଏହି ସଫଳତାରେ ଓଡୁମ୍ବେଙ୍କର ଏକ ବଡ଼ ହାତ ଥିଲା। ଓଡୁମ୍ବେ ଟୁର୍ଣ୍ଣାମେଣ୍ଟରେ ହାରାହାରି ୪୨ ରନ ସଂଗ୍ରହ କରିଥିଲେ ଏବଂ ୯ ଉଇକେଟ ମଧ୍ୟ ନେଇଥିଲେ। କେନିଆର ଏହି କିମ୍ବଦନ୍ତୀ ଖେଳାଳି ୨୦୦୪ ରେ ଆଇସିସିର ଯାଞ୍ଚ୍‌ରେ ଧରାପଡିଥିଲେ। ଓଡୁମ୍ବେ ଜଣେ ବୁକିଙ୍କ ସହ ଲିଙ୍କ ଥିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ତାଙ୍କୁ ପାଞ୍ଚ ବର୍ଷ ପାଇଁ କ୍ରିକେଟ୍‌ ବାରଣ କରାଯାଇଥିଲା। ନିଷେଧାଦେଶ ପରେ ଓଡୁମ୍ବେଙ୍କ କ୍ରିକେଟ୍‌ କ୍ୟାରିୟର୍‌ ନଷ୍ଟ ହୋଇଯାଇଥିଲା। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ଖାଇବାକୁ ମଧ୍ୟ ତାଙ୍କ ପାଖରେ ଟଙ୍କା ନ ଥିଲା ଏବଂ ସେ ଭୋକିଲା ରାସ୍ତାରେ ବୁଲୁଥିଲେ। କେବଳ ଏତିକି ନୁହେଁ, ସେ ନିଶା ସେବନ ମଧ୍ୟ କରିଥିଲେ। ତାଙ୍କର ପାଞ୍ଚ ବର୍ଷର ନିଷେଧାଦେଶ ଶେଷ ହେବା ପରେ ସେ ପୁଣି କ୍ରିକେଟ ରେ ଯୋଗ ଦେଇଥିଲେ ଏବଂ ୪୦ ବର୍ଷ ବୟସରେ ସେ କେନିଆର ଘରୋଇ କ୍ରିକେଟକୁ ଫେରି ଆସିଥିଲେ। ଏପ୍ରିଲ ୨୦୧୮ରେ, ସେ କେନିଆ ଦଳର କୋଚ ହୋଇଥିଲେ।

Share