ଦିନେ କମିଲେ ପୁଣି ବଢୁଛି, ଆଜି ସମୀକ୍ଷା ବୈଠକ…

ନୂଆଦିଲ୍ଲୀ, ୨୧।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ଶହ ତଳେ ରହିଛି। ଏହା ବଢ଼ି ୧୨୮ ରହିଛି। ଗୋଟିଏ ଦିନ ତଳେ ଏହା ୧୧୦ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧ ଥିଲା। ଏହି ସମୟରେ ସକ୍ରିୟ ମାମଲା କମି ୩ ହଜାର ୪୦୮ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୩ ହଜାର ୪୯୦ ଥିଲା। ସେହିପରି ୨୪ ଘଣ୍ଟାରେ ୨୧୦ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧୭୮ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୬୮୦ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୭୬ ହଜାର ୩୩୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୪୨ ହଜାର ୨୪୨ ଜଣ ସୁସ୍ଥ ହୋଇ ସାରିଛନ୍ତି।

ଚାଇନା ଏବଂ ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ହଠାତ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ କେନ୍ଦ୍ର ସରକାର ସତର୍କ ହୋଇପଡିଛନ୍ତି। କରୋନାର ନୂଆ ଜିନୋମ ସିକ୍ୱେନ୍ସିଂ କରିବାକୁ ସରକାର ସମସ୍ତ ରାଜ୍ୟକୁ ଏକ ଚିଠି ଲେଖିଛନ୍ତି। ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ପକ୍ଷରୁ ଏସିଡିସି ଏବଂ ଆଇସିଏମଆରକୁ ଏକ ଚିଠି ଲେଖାଯାଇଛି।

ଏଥିରେ କୁହାଯାଇଛି ଯେ ସମସ୍ତ ରାଜ୍ୟକୁ ଜିନୋମ ସିକ୍ୱେନ୍ସିଂ ଉପରେ ଗୁରୁତ୍ୱ ଦେବାକୁ ପଡିବ। ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣର ଅଧିକ ମାମଲା ନାହିଁ, ମୃତ୍ୟୁ ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି। କିନ୍ତୁ ଏହି ଭାଇରସ ସାରା ବିଶ୍ୱରେ ବ୍ୟାପିଯାଉଥିବାରୁ ଏଭଳି ପରିସ୍ଥିତିରେ ସରକାର ମଧ୍ୟ ଅବହେଳା କରିବାକୁ ଚାହୁଁନାହାଁନ୍ତି। କରୋନା ମାମଲା ସମ୍ପର୍କରେ କେନ୍ଦ୍ର ସରକାର ବୁଧବାର ଏକ ସମୀକ୍ଷା ବୈଠକ ଡାକିଛନ୍ତି।

ସ୍ବାସ୍ଥ୍ୟ ସଚିବ କହିଛନ୍ତି ଯେ ଯଦି କରୋନାର ନୂତନ ଭାରିଆଣ୍ଟର ଗୁଡିକ ଠିକ ସମୟରେ ଚିହ୍ନଟ କରାଯାଏ ତେବେ ଚିକିତ୍ସା ପାଇଁ ସୁବିଧା ହେବ। ଏଥିପାଇଁ ଜିନୋମ ସିକ୍ୱେନ୍ସିଂ ଆବଶ୍ୟକ। ଜିନୋମ ସିକ୍ୱେନ୍ସିଂ ପାଇଁ ନମୁନା ପଠାଇବାକୁ ମଧ୍ୟ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସରକାର ସମସ୍ତ ରାଜ୍ୟକୁ ସଜାଗ ରହିବାକୁ କହିଛନ୍ତି। କେନ୍ଦ୍ର ସରକାର ସନ୍ଦେହ କରୁଛନ୍ତି ଯେ କରୋନାର ଏକ ନୂତନ ଭାରିଆଣ୍ଟ ଅଛି, ଯେଉଁ କାରଣରୁ ଆଗାମୀ ଦିନରେ ହଠାତ ମାମଲା ବୃଦ୍ଧି ପାଇପାରେ। କେନ୍ଦ୍ର ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ ବିଶ୍ୱର ଅନେକ ଦେଶରେ କରୋନା ମାମଲା ଯେପରି ବଢୁଛି, ଏହା ଜଣାପଡୁଛି ଯେ କରୋନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏଭଳି ପରିସ୍ଥିତିରେ କରୋନାର ଟ୍ରେଣ୍ଡ ଉପରେ ନଜର ରଖିବା ଆବଶ୍ୟକ ।

Share