Categories: ଜାତୀୟ

ସ୍ବାଧୀନତା ଦିବସର ଦିନକ ପୂର୍ବରୁ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌, ୪ ଜୈଶ୍‌ ଆତଙ୍କବାଦୀ ଗିରଫ…

ଶ୍ରୀନଗର,୧୪।୮: ଦେଶର ୭୫ତମ ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଏକ ବଡ଼ ଧରଣର ଆତଙ୍କବାଦୀ ଷଡଯନ୍ତ୍ର ପର୍ଦ୍ଦାଫାଶ୍‌ ହୋଇଛି। କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ୪ ଜଣ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସ୍ବାଧୀନତା ଦିବସରେ ମୋଟରସାଇକେଲରେ ଆଇଇଡ଼ି ଲଗାଇ ବିସ୍ଫୋରଣ କରିବାକୁ ସେମାନେ ଯୋଜନା କରିଥିବା ପଚରାଉଚରା ସମୟରେ ସ୍ବୀକାର କରିଛନ୍ତି।
ଆତଙ୍କବାଦୀମାନେ ଡ୍ରୋନରୁ ପକାଯାଇଥିବା ବିସ୍ଫୋରକ ସାମଗ୍ରୀ ଏବଂ ବନ୍ଧୁକ ସଂଗ୍ରହ କରି ବଡ଼ ଧରଣର ଆକ୍ରମଣ ଷଡଯନ୍ତ୍ର କରିଥିଲେ। ପୋଲିସ ପ୍ରଥମେ ମୁନ୍ତଜିର ମଞ୍ଜୁରକୁ ଗିରଫ କରିଥିଲା। ସେ ପୁଲୱାମାର ବାସିନ୍ଦା ଏବଂ ଜୈଶ୍‌-ଇ-ମହମ୍ମଦ ସଂଗଠନର ସଦସ୍ୟ। ତାଙ୍କଠାରୁ ଏକ ପିସ୍ତଲ, ଏକ ମାଗାଜିନ୍‌, ୮ ରାଉଣ୍ଡ ଗୁଳି, ଦୁଇଟି ଚାଇନା ହ୍ୟାଣ୍ଡ ଗ୍ରେନେଡ ଜବତ ହୋଇଛି। ସେ ଟ୍ରକରେ ଅସ୍ତ୍ରଶସ୍ତ୍ର ବୋହି ନେବା କାର୍ଯ୍ୟ କରୁଥିବା ପଚରାଉଚରା ସମୟରେ କହିଛନ୍ତି। ଗିରଫ ହୋଇଥିବା ଅନ୍ୟଜଣେ ଆତଙ୍କବାଦୀ ଉତ୍ତରପ୍ରଦେଶ ଶାମଲିସ୍ଥିତ କଣ୍ଡାଲାର ବାସିନ୍ଦା। ତାଙ୍କର ନାମ ଇଜାହାର ଖାଁ ଓରଫ୍‌ ସୋନୁ ଖାଁ। ପାକିସ୍ତାନର ଜୈଶ କମାଣ୍ଡର ମୁନାଜିର ଖାଁ ଅମୃତସରରେ ଡ୍ରୋନ ଦ୍ୱାରା ପକାଯାଇଥିବା ଅସ୍ତ୍ର ସଂଗ୍ରହ କରିବାକୁ ସୋନୁଙ୍କୁ କହିଥିଲେ। ଏହା ସହିତ ତାଙ୍କୁ ପାନିପଥ ତେଲ ରିଫାଇନାରୀର ରେକି କରିବାକୁ ମଧ୍ୟ କୁହାଯାଇଥିଲା। ସୋନୁ ରିଫାଇନାରୀର ଭିଡିଓ ମଧ୍ୟ ପାକିସ୍ତାନକୁ ପଠାଇଥିବା ପଚରାଉଚରା ସମୟରେ ସ୍ବୀକାର କରିଛନ୍ତି। ସୋନୁଙ୍କୁ ଅଯୋଧ୍ୟାରେ ରାମ ଜନ୍ମଭୂମିର ରେକି କରିବାକୁ ନିର୍ଦ୍ଦେଶ ଜୈଶ୍‌ କମାଣ୍ଡର ଦେଇଥିଲେ। ତୃତୀୟ ଆତଙ୍କବାଦୀ ତୌଫିକ ଅହମ୍ମଦ ଶାହା ଶୋପିଆନ୍‌ର ବାସିନ୍ଦା। ପାକିସ୍ତାନରେ ବସିଥିବା ଜୈଶ କମାଣ୍ଡର ସହିଦ ଏବଂ ଅବରାର ତୌଫିକ୍‌ଙ୍କୁ ଜମ୍ମୁରେ ପହଞ୍ଚିବାକୁ କହିଥିଲେ। ଆଇଡ଼ି ବିସ୍ଫୋରଣ କରିବା ଲାଗି ତାଙ୍କୁ ବାଇକ କିଣିବା ଦାୟିତ୍ୱ ଦିଆଯାଇଥିଲା। ଚତୁର୍ଥ ଆତଙ୍କବାଦୀ ଜହାଙ୍ଗୀର ଅହମ୍ମଦ ଭଟ୍ଟ ପୁଲଓ୍ବାମାର ବାସିନ୍ଦା। ସେ ଫଳ ବ୍ୟବସାୟ କରନ୍ତି। ଜୈଶ୍‌ ସଂଗଠନ ସହିତ ସେ ଯୋଗାଯୋଗରେ ରହିଥିବା ପୋଲିସ କହିଛି। ଯେ ଯୁବବର୍ଗଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ କରାଉଥିବା ଅଭିଯୋଗ ହୋଇଛି।

Share