କୋଟିଏ ଟଙ୍କାର ଗଞ୍ଜେଇ ଛାଡି ବ୍ୟବସାୟୀ ଚମ୍ପଟ

ଆର.ଉଦୟଗିରି,୧୬।୬(ଡି.ଏନ.ଏ.): ଗଜପତି ଏସ୍‌ପି ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଅଡବା ଥାନା ଅଧିକାରୀ ଏବଂ ତାଙ୍କ ଟିମ୍‌ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛନ୍ତି। ପାଟ୍ରୋଲିଂ ଟିମ୍‌ ଝରଣପୁର ଛକ ନିକଟରେ ଏକ ଗାଡ଼ି (ନଂ.ଓଡ଼ି୦୭ପି୩୪୫୧)କୁ ଅଟକାଇ ଥିଲେ। ସେତିକିବେଳେ ପୋଲିସକୁ ଦେଖି ଚାଳକ ଚମ୍ପଟ ମାରିଥିଲେ। ଉକ୍ତ ୪୦୭ ଗାଡ଼ିଟିକୁ ଯାଞ୍ଚ ବେଳେ ଅଖାରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ତହସିଲଦାର କିଶୋର ଚନ୍ଦ୍ର ଦାଶଙ୍କ ଉପସ୍ଥିତିରେ ଗଞ୍ଜେଇର ଓଜନ ହୋଇଥିଲା। ତାହା ୧୦ କୁଇଣ୍ଟାଲ ହୋଇଥିବା ବେଳେ ବଜାର ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ଥାନା ଅଧିକାରୀ ପାତ୍ର ସୂଚନା ଦେଇଛନ୍ତି।