Categories: ଜାତୀୟ

୨୪ ପରିବାରର କୋଟିଏ ଟଙ୍କା ଚଳୁ

ଭୋପାଳ,୨୬ା୫: ଅତି ଲୋଭ କରି ମଧ୍ୟପ୍ରଦେଶ ସାଗର ଜିଲାର ବୀଣା ଅଞ୍ଚଳର ସବ୍‌-ପୋଷ୍ଟ ଅଫିସ ପୋଷ୍ଟମାଷ୍ଟର ବିଶାଳ ଅହିରଓ୍ବାର ଏବେ ପୋଲିସ ହାଜତରେ। ସେ ୨୪ ଜମାକାରୀଙ୍କ ଏଫ୍‌ଡି (ଫିକ୍ସ ଡିପୋଜିଟ୍‌)କୁ ଆଇପିଏଲ୍‌ ବେଟିଂରେ ଉଡ଼ାଇ ଦେଇଛନ୍ତି। ତାହାର ପରିମାଣ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଅଳ୍ପ ସମୟରେ ବିପୁଳ ଟଙ୍କା ରୋଜଗାର କରିବା ନିଶା ବିଶାଳଙ୍କୁ ଘାରିଥିଲା।

ଏଥିପାଇଁ ସେ କ୍ରିକେଟ୍‌ ମ୍ୟାଚ୍‌ ବେଳେ ବେଟିଂରେ ଟଙ୍କା ଲଗାଇ ଆସୁଛନ୍ତି। ବର୍ତ୍ତମାନ ଆଇପିଏଲ୍‌ ସିଜିନ୍‌ ଚାଲିଥିବାବେଳେ ତାହାକୁ ନେଇ ହେଉଥିବା ବେଟିଂରେ ବିଶାଳ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହରାଇ ଦେଇଛନ୍ତି। ଏଥିପାଇଁ ୨୪ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। କାରଣ ବିଶାଳ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଫିକ୍ସ ଡିପୋଜିଟ୍‌ ଭାବେ ନେଇ ନକଲି ଏଫ୍‌ଡି ପାସ୍‌ବୁକ୍‌ ଧରାଇ ଦେଇଛନ୍ତି। ପ୍ରାୟ ୨ ବର୍ଷ ହେଲା ସେ ଏଭଳି କରୁଥିବା ଜଣାପଡ଼ିଛି। ନିକଟରେ କେତେଜଣ ଜମାକାରୀ ସେମାନଙ୍କ ଟଙ୍କା ଆଣିବା ପାଇଁ ପୋଷ୍ଟ ଅଫିସରେ ପହଞ୍ଚିବା ପରେ ବିଶାଳଙ୍କ କାରନାମା ପଦାକୁ ଆସିଥିଲା।

ସମ୍ପୃକ୍ତ ଜମାକାରୀଙ୍କ ନାମରେ କୌଣସି ଏଫ୍‌ଡି କିମ୍ବା ଆକାଉଣ୍ଟ ନ ଥିବା ପୋଷ୍ଟାଲ କର୍ମଚାରୀ କହିଥିଲେ। ଫଳରେ ଜମାକାରୀମାନେ ସ୍ଥାନୀୟ ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ। ତଦନ୍ତ କରି ପୋଲିସ ବିଶାଳଙ୍କୁ ଗତ ୨୦ ତାରିଖରେ ଗିରଫ କରିଥିଲା। ପଚରାଉଚରା ପରେ ସେ ୨୪ ଜମାକାରୀଙ୍କ ଫିକ୍ସ ଡିପୋଜିଟ୍‌କୁ ଆଇପିଏଲ୍‌ ବେଟିଂ ଆପ୍‌ରେ ବିନିଯୋଗ କରିଥିବା ସ୍ବୀକାର କରିଥିଲେ। ଆଇପିସି ଦଫା ୪୨୦(ଠକେଇ), ୪୦୮ (ବିଶ୍ୱାସ ଭଙ୍ଗ)ରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଟଙ୍କା ଜମା କରିଥିବା ବର୍ଷା ବାଥରୀ ଏବେ କ’ଣ କରିବେ ତାଙ୍କୁ କିଛି ବୁଦ୍ଧି ଜୁଟୁନାହିଁ। କରୋନାରେ ସ୍ବାମୀଙ୍କ ମୃତ୍ୟୁ ପରେ ପିଲାମାନଙ୍କ ଭବିଷ୍ୟତ ପାଇଁ ପୋଷ୍ଟ ଅଫିସ୍‌ରେ ୯ ଲକ୍ଷ ଟଙ୍କା ଏଫ୍‌ଡି କରିଥିଲେ। ଠକେଇ ହୋଇଥିବା ଜାଣିବା ପରେ ସେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏବେ ତାଙ୍କର ପିଲାମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଥିବା କହିଛନ୍ତି।

 

 

Share