କେସିଙ୍ଗା,୨।୫.(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର କଛାରପଦର ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଆଜିକୁ ଏକ ବର୍ଷ ୫ ମାସ ବିତିଗଲାଣି ସମ୍ପୂର୍ଣ୍ଣ ହୋଇ ପାରୁ ନ ଥିବାରୁ କୋମଳମତି ଶିଶୁଙ୍କ ଶିକ୍ଷାଦାନ କ୍ଷେତ୍ରରେ ଘୋର ସମସ୍ୟା ଦେଖା ଦେଉଛି।
ଏହି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିବା ପାଇଁ ପ୍ରଥମେ ଉକ୍ତ ଗ୍ରାମର ଜଣେ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଏମିତି ନିମ୍ନମାନ କାମ କରାଯାଇ ଥିଲା ଯେ, ଚତୁଃପାର୍ଶରେ ଥିବା ଫାଉଣ୍ଡେସନ ନିର୍ମାଣ ସମୟରେ ହିଁ ଭାଙ୍ଗି ଯାଇଥିଲା। ଯାହାଫଳରେ ଅଙ୍ଗନବାଡି କେନ୍ଦ୍ରଟି ନିର୍ମାଣ ହୋଇ ନ ପାରି ପଡିରହିଥିଲା। ଗ୍ରାମବାସୀ କେସିଙ୍ଗା ବିଡିଓ ଅଭିଯୋଗ କଲା ପରେ ଆଉ ଜଣେ ଠିକାଦାରଙ୍କୁ ନିର୍ମାଣର ଦାୟିତ୍ୱ ଦିଆଯାଇଛି।
କିନ୍ତୁ ଏହି କେନ୍ଦ୍ରଟି ଗତ ୯.୧୨.୨୦୨୪ ମସିହାରେ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ସୂଚନା ଫଳକରେ କେତେ ଟଙ୍କାର ବ୍ୟୟ ଅଟକଳ ହେବ ତାହା ଉଲ୍ଲେଖ କରାଯାଇନି। କଛାରପଦର ଅଙ୍ଗନବାଡି କେନ୍ଦ୍ରଟି ନିଜସ୍ବଗୃହ ନ ଥିବାରୁ କେତେ ବର୍ଷ ଅଙ୍ଗନବାଡି ଜଣଙ୍କ ଘରେ ଚାଲିଥିଲା। ବର୍ତ୍ତମାନ ଉକ୍ତ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଙ୍ଗନବାଡି କେନ୍ଦ୍ରଟି ଚାଲୁଛି। ଉକ୍ତ କେନ୍ଦ୍ରର ନିଜସ୍ବ ଗୃହ ନ ଥିବାରୁ ରୋଷେଇ କରିବା, ପାଠ ପଢାଇବା କ୍ଷେତ୍ରରେ ଘୋର ସମସ୍ୟା ଦେଖାଦେଉଛି। ତେଣୁ ଯଥାଶୀଘ୍ର ଉକ୍ତ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିବା ପାଇଁ ଗ୍ରାମବାସୀ କେସିଙ୍ଗା ବିଡିଓଙ୍କ ନିକଟରେ ଅଭିଯୋଗ କରିଥିବାର ଶୁଣିବାକୁ ମିଳୁଛି। ଏ ସଂକ୍ରାନ୍ତରେ କନିଷ୍ଠ ଯନ୍ତ୍ରୀ ତ୍ରିଲୋଚନ ବେହେରାଙ୍କୁ ପଚାରିବାରୁ ମୁଁ ତ ଅନ୍ୟ ଗ୍ରାମ ପଞ୍ଚାୟତକୁ ଦଦଳି ହୋଇଛି, ଅନ୍ୟ ଜଣେ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ପ୍ରକାଶ କରିଥିଲେ।