ଦେଢ଼ ଲକ୍ଷ ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୩।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା ଦେଢ଼ ଲକ୍ଷ ଟପିଛି। ଫଳରେ ପୁଣି ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨୧ ହଜାର ୪୧୧ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୭ ରେ ପହଞ୍ଚିଛି।

ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୫୦ ହଜାର ୧୦୦ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୨୦ ହଜାର ୭୨୬ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୫ ହଜାର ୯୯୭ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୮ ଲକ୍ଷ ୬୮ ହଜାର ୪୭୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୧ ଲକ୍ଷ ୯୨ ହଜାର ୩୭୯ ଜଣ ସୁସ୍ଥ ହୋଇ ସାରିଛନ୍ତି। ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ନାଟକ. ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨,୫୧୫ଜଣ, ପଶ୍ଚିମବଙ୍ଗରେ ୨,୨୩୭, ତାମିଲନାଡୁରେ ୨,୦୩୩ ଜଣ, ପଞ୍ଜାବରେ ୪୩୨ ଜଣ କେରଳରେ ୨,୪୭୭ ଜଣ, କର୍ନାଟକରେ ୧,୫୬୨ ଜଣ, ଓଡ଼ିଶାରେ ୧,୧୩୦ ଜଣ, ଗୁଜରାଟରେ ୮୮୪, ଆସାମରେ ୮୦୦ ଜଣ, ତେଲେଙ୍ଗାନାରେ ୭୩୯, ହିମାଚଳପ୍ରଦେଶରେ ୭୫୨ ଜଣ, ଛତିଶଗଡ଼ରେ ୬୨୭ ଜଣ, ଦିଲ୍ଲୀରେ ୭୧୨ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ହରିୟାଣାରେ ୪୨୮ ଜଣ, ଆନ୍ଧ୍ରପ୍ରଦେଶରେ ୪୪୦ ଜଣ, ଉତ୍ତରପ୍ରଦେଶରେ ୪୫୯ ଜଣ, ତ୍ରିପୁରାରେ ୨୧୬ ଜଣ, ଜମ୍ମୁ-କଶ୍ମୀରରେ ୫୩୧ ଜଣ, ବିହାରରେ ୩୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଝାଡ଼ଖଣ୍ଡରେ ୨୧୮ ଜଣ, ରାଜସ୍ଥାନରେ ୨୬୩ ଜଣ, ସିକିମ୍‌ରେ ୨୭୬ ଜଣ, ମଧ୍ୟପ୍ରଦେଶରେ ୨୧୯ ଜଣ, ପୁଡୁଚେରୀରେ ୧୮୯ ଜଣ, ଉତ୍ତରାଖଣ୍ଡରେ ୨୦୧ ଜଣ, ମିଜୋରାମରେ ୧୪୭ ଜଣ, ଚଣ୍ଡିଗଡ଼ରେ ୧୨୭ ଜଣ, ଗୋଆରେ ୧୦୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୨୦୧ କୋଟି ୭୦ ଲକ୍ଷରୁ ଅଧିକରେ ପହଞ୍ଚିଛି ।

ସେଥିମଧ୍ୟରେ ୯୧ କୋଟି ୯୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୫ କୋଟି ୨୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।

Share