ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର ହେଲା ଜବତ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ହାତରେ ଏକ ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀ ଧରାପଡିଛନ୍ତି। ପଶ୍ଚିମବଙ୍ଗରୁ ଆସି କଟକ ଜିଲା ଟାଙ୍ଗୀ ୧୬ ନଂ. ଜାତୀୟ ରାଜପଥ ନିକଟରେ ଡିଲ୍‌ବେଳେ ବୁଧବାର ବିଳମ୍ବିତ ରାତିରେ ତାଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଛି। ସେ ହେଲେ ପଶ୍ଚିମବଙ୍ଗ ମୁର୍ସିଦାବାଦ୍‌ ଜିଲା ବେଲଡାଙ୍ଗ ଥାନା ମିର୍ଜାପୁର ଅଞ୍ଚଳର ଏସ୍‌କେ ସଫିକୁଲ୍‌ ଓରଫ ଖୋକନ୍‌। ତାଙ୍କଠାରୁ ଏସ୍‌ଟିଏଫ୍‌ ୧ କେଜି ୪୩ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ। ଏଥିସହ ତାଙ୍କଠାରୁ ମୋବାଇଲ ଫୋନ୍‌, ଆଧାର କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ଜବତ ହୋଇଛି। ଏସ୍‌ଟିଏଫ୍‌ ଏନ୍‌ଡିପିଏସ୍‌ ଆକ୍ଟରେ ଏକ ମାମଲା (ନଂ. ୩୫/୨୧) ରୁଜୁକରି ଅଭିଯୁକ୍ତଙ୍କୁ ଗୁରୁବାର କଟକ ସ୍ବତନ୍ତ୍ର ଜିଲା ଦୌରା ଜଜ୍‌ଙ୍କ କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଅଭିଯୁକ୍ତ ଖୋକନ ବ୍ରାଉନସୁଗାର ନେଇ ଟାଙ୍ଗୀ ନିକଟରେ ବୁଧବାର ବିଳମ୍ବିତ ରାତିରେ ପହଞ୍ଚତ୍ଥିଲେ। ସେ ଏଜେଣ୍ଟଙ୍କୁ ଅପେକ୍ଷା କରି ଜାତୀୟ ରାଜପଥ ନିକଟରେ ଛିଡ଼ା ହୋଇଥିଲେ। ଏନେଇ ବିଶ୍ୱସ୍ତ ସୂତ୍ରରୁ ଏସ୍‌ଟିଏଫ୍‌ ଖବର ପାଇବା ପରେ ଏକ ଟିମ୍‌ ସେଠାରେ ଚଢ଼ାଉ କରି ଅଭିଯୁକ୍ତ ଖୋକନଙ୍କୁ କାବୁ କରିନେଇଥିଲା। ଏସ୍‌ଟିଏଫ୍‌ର ରିପୋର୍ଟ ଅନୁଯାୟୀ, ୨୦୨୦ରୁ ଏପର୍ଯ୍ୟନ୍ତ ଏସ୍‌ଟିଏଫ୍‌ ୨୧ କେଜି ବ୍ରାଉନସୁଗାର ଓ ୮୬ କୁଇଣ୍ଟାଲ ୮୧ କେଜି ଗଞ୍ଜେଇ ଜବତ କରିବା ସହ ଓ ସମ୍ପୃକ୍ତ ୧୦୦ ବେପାରୀଙ୍କୁ ଗିରଫ କରିଛି।