ଏକଦା ଶୁଟିଂସେଟ୍‌ରେ ସଲମାନଙ୍କ ସହ ସତୀଶଙ୍କର ହୋଇଥିଲା ଝଗଡ଼ା

ମୁମ୍ବାଇ: ବଲିଉଡ୍‌ର ଭେଟେରାନ ଅଭିନେତା ସତୀଶ କୌଶିକ ୬୬ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ହୃଦ୍‌ଘାତରେ ତାଙ୍କର ଗୁରୁବାର ଦେହାନ୍ତ ହୋଇଛି। ସତୀଶ କେବଳ ନିଜର ବଳିଷ୍ଠ ଅଭିନୟ ପାଇଁ ଜଣାଶୁଣା ନୁହନ୍ତି ବରଂ ତାଙ୍କର ସୁନ୍ଦର ନିର୍ଦ୍ଦେଶନା ଯୋଗୁ ମଧ୍ୟ ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲେ। ୨୦୦୩ରେ ସତୀଶ ସଲମାନ ଖାନଙ୍କ ସହ ‘ତେରେ ନାମ୍‌’ ନାମକ ଏକ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଯାହାକି ହିନ୍ଦୀ ସିନେମାର ଅନ୍ୟତମ ବ୍ଲକବଷ୍ଟର ଭାବରେ ପରିଗଣିତ ହୋଇଥିଲା। ଏହି ଫିଲ୍ମ କେବଳ ସଫଳତାର ରେକର୍ଡ ଭାଙ୍ଗିନାହିଁ ବରଂ ସଲମାନଙ୍କ କ୍ୟାରିଅରକୁ ଶୀର୍ଷରେ ପହଞ୍ଚାଇଥିଲା।

ତେବେ ଏହି ଫିଲ୍ମ ସମୟରେ ସଲମାନଙ୍କ ସହ ସତୀଶଙ୍କର ବିବାଦ ସୃଷ୍ଟି ହୋଇଥିଲା। ୨୦୦୩ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ତେରେ ନାମ୍‌’ ସେଟ୍‌ରେ ସତୀଶଙ୍କ ସହ ଫିଲ୍ମର ମୁଖ୍ୟ ଅଭିନେତା ସଲମାନଙ୍କ ସହ ବିବାଦ ହୋଇଥିଲା। କୁହାଯାଉଛି, ଏହି ବିବାଦ ଏତେ ମାତ୍ରାରେ ବୃଦ୍ଧି ପାଇଥିଲା ଯେ, ସଲମାନଙ୍କ ସହ ସତୀଶଙ୍କର ବିବାଦ ତୁଟି ନ ଥିଲା। ଏହି ଘଟଣାଟି ସେତେବେଳେ ଅନେକ ଫିଲ୍ମ ପତ୍ରପତ୍ରିକା ଏବଂ ଖବରକାଗଜର ପୃଷ୍ଠା ମଣ୍ଡନ କରିଥିଲା। ଯଦିଓ ସତୀଶ ଏହି ଘଟଣାକୁ ଅସ୍ବୀକାର କରିଥିଲେ। ସେ କହିଥିଲେ, ସଲମାନଙ୍କ ସହ ତାଙ୍କ ମଧ୍ୟରେ ଏହିପରି କିଛି ଘଟି ନ ଥିଲା।

Share