Categories: ଖେଳ

ବ୍ଲ୍ୟୁ ଜର୍ସିରେ ଅନ୍ତିମ ମ୍ୟାଚ୍‌

ନୂଆଦିଲ୍ଲୀ,୧୦।୭: ଠିକ୍‌ ଦୁଇ ବର୍ଷ ତଳେ ୨୦୧୯ ଜୁଲାଇ ୧୦ରେ ନ୍ୟୁଜିଲାଣ୍ଡ ଠାରୁ ସେମିଫାଇନାଲରେ ପରାସ୍ତ ହୋଇ ଆଇସିସି ଦିନିକିଆ ବିଶ୍ୱକପ୍‌ରୁ ବିଦାୟ ନେଇଥିଲା ଟିମ୍‌ ଇଣ୍ଡିଆ। ଏହି ମ୍ୟାଚ୍‌ରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଶେଷ ଥର ପାଇଁ ବ୍ଲ୍ୟୁ ଜର୍ସିରେ ଦେଖିବାକୁ ମିଳିଥିଲା। ବର୍ଷେ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିବା ପରେ ଅଗଷ୍ଟ ୧୫ ତାରିଖରେ ସନ୍ନ୍ୟାସ ଘୋଷଣା କରିଥିଲେ ଭାରତର ଏହି ମହାନ ଅଧିନାୟକ।

୨୪୦ ରନ୍‌ର ଟାର୍ଗେଟ ପିଛା କରୁଥିବା ଟିମ୍‌ ଇଣ୍ଡିଆ ମାତ୍ର ୫ ରନ୍‌ରେ ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ଉଇକେଟ ହରାଇ ନିଶ୍ଚିତ ପରାଜୟ ମୁହଁା ହୋଇଥିଲା। ତା’ ପରେ ରିଷଭ ପନ୍ତ ଓ ଦୀନେଶ କାର୍ତ୍ତିକ କ୍ରିଜରେ ଧୈର୍ଯ୍ୟର ସହ ଖେଳିବାକୁ ଉଦ୍ୟମ କରିଥିଲେ। ମାତ୍ର କାର୍ତ୍ତିକ (୬)ଙ୍କୁ ପ୍ୟାଭେଲିଅନ ପଠାଇଥିଲା ଗଲି ଅଞ୍ଚଳରେ ଜିମ୍ମି ନିଶାମଙ୍କ ଚମତ୍କାର କ୍ୟାଚ୍‌। ୫ମ ଉଇକେଟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ପନ୍ତ ଯୋଡ଼ିଥିଲେ ୪୭ ରନ୍‌। ସେଟ୍‌ ହୋଇସାରିଥିବା ପନ୍ତ (୩୨) ଓ ପାଣ୍ଡ୍ୟା (୩୨)ଙ୍କୁ ପ୍ୟାଭିଲିଅନ ବାଟ ଦେଖାଇଥିଲେ ମିଚେଲ ସାଣ୍ଟନର। ୩୦.୩ ଓଭର ସୁଦ୍ଧା ଭାରତ ୬ ଉଇକେଟ ହରାଇ ୯୨ ରନ୍‌ କରିଥିଲା।

ଏହିଠୁ ଧୋନୀ ଓ ରବୀନ୍ଦ୍ର ଜାଡେଜାଙ୍କ ଭାଗୀଦାରି ୧୧୬ ରନ୍‌ ଯୋଡ଼ି ଟିମ୍‌ ଇଣ୍ଡିଆକୁ ଫେରାଇ ଆଣିଥିଲେ ମ୍ୟାଚ୍‌କୁ। କିନ୍ତୁ ଜାଡେଜା (୭୭) ଆଉଟ୍‌ ହେବା ପରେ ଚାପ ପଡ଼ିଥିଲା ଧୋନୀଙ୍କ ଉପରେ। ଦୁଇ ରନ୍‌ ନେବାକୁ ଉଦ୍ୟମ କରୁଥିବାବେଳେ ଧୋନୀ(୫୦)ଙ୍କୁ ରନ୍‌ଆଉଟ୍‌ କରିଥିଲା ମାର୍ଟିନ ଗୁପଟିଲଙ୍କ ଡାଇରେକ୍ଟ ଥ୍ରୋ। ଫଳରେ ୪୯.୩ ଓଭରରେ ୨୨୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା ଟିମ୍‌ ଇଣ୍ଡିଆ।

Share