ଘରକୁ ଫେରିବାବେଳେ ହାତୀ ହାବୁଡ଼ରେ ପଡ଼ିଗଲେ, ଶୁଣ୍ଢରେ ଟେକି ବିଲରେ କଚାଡ଼ିଲା, ଆଉ ତା’ ପରେ…

କେନ୍ଦୁଝର,୧୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଭୂୟାଁ ଜୁଆଙ୍ଗପିଢ଼ ରେଞ୍ଜ ତଳରଢ଼ୁଆଁ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକ ହେଲେ ନରୋତ୍ତମ ଜୁଆଙ୍ଗ (୪୮)।

ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ସେ ଶନିବାର ରାତିରେ କାମ ସାରି ଘରକୁ ଫେରୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା। ଫଳରେ ସେ ଏକ ବିଲ ଭିତରେ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଅଣାଯାଇଥିଲା ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି।

ଉକ୍ତ ଅଞ୍ଚଳରେ ୧୨ ଟିକିଆ ହାତୀପଲ ଦୀର୍ଘଦିନ ହେଲା ବୁଲୁଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏହାକୁ ନେଇ ବନ ବିଭାଗ ପକ୍ଷରୁ ସତର୍କତା ରହିବାକୁ ପରାମର୍ଶ ଦେଉଥିଲେ ହେଁ ମାନୁ ନ ଥିବାରୁ ଏଭଳି ଅଘଟଣ ଘଟୁଛି। ଏଣୁ ଏ ନେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ରେଞ୍ଜ ଅଧିକାରୀ ନୟନ କାନ୍ତ ସାହୁ କହିଛନ୍ତି ଯେ, ସରକାରୀ ନିୟମାନୁଯାୟୀ କ୍ଷତପୂରଣ ପ୍ରଦାନ କରାଯିବ। ହାତୀମାନଙ୍କ ଗତିବିଧି ନିରୀକ୍ଷଣ କରାଯିବା ସହ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି। ଏହାକୁ ମିଶାଇ ଏକ ସପ୍ତାହ ମଧ୍ୟରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଚିନ୍ତାର ବିଷୟ ହୋଇଛି। ତୁରନ୍ତ ହାତୀଙ୍କୁ ଘଉଡ଼ାଇବାକୁ ଦାବି କରିଛନ୍ତି ଗ୍ରାମବାସୀ। ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ହାତୀପଲ ଗାଁ ନିକଟରେ ଘୁରି ବୁଲୁଥିବାରୁ ଲୋକଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଏହାକୁ ମିଶାଇ ଜିଲାରେ ହାତୀ ଆକ୍ରମଣରେ ୧ ମାସ ମଧ୍ୟରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି।

Dharitri – Odisha’s No.1 Odia Daily

Share