ମହାନଦୀ ଉପରେ ପ୍ରସ୍ତୁତ ହେବ ବୃତ୍ତଚିତ୍ର

ଭୁବନେଶ୍ୱର,୨୨।୬(ବ୍ୟୁରୋ): ମହାନଦୀ ହେଉଛି ଦେଶର ଏକ ଅମୂଲ୍ୟ ସମ୍ପଦ। ଏହା ଦିନକୁ ଦିନ ନିଜର ଅସ୍ଥିତ୍ୱ ହରାଇବାରେ ଲାଗିଛି। ଜନସାଧାରଣଙ୍କ ପାଖରେ ମହାନଦୀର ସୁରକ୍ଷାକୁ ନେଇ ସଚେତନତାର ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରିଲ୍ୟୁଡ୍‌ ପ୍ରଡକ୍ସନ ବ୍ୟାନରରେ ମହାନଦୀ ଉପରେ ଏକ ବୃତ୍ତଚିତ୍ର ପ୍ରସ୍ତୁତ ହେଉଛି। ଏଥିସହ ସୋସିଆଲ ମିଡିଆ ମାଧ୍ୟମରେ କ୍ୟାମ୍ପେନ୍‌ ଆରମ୍ଭ ହୋଇଛି ବୋଲି ମଙ୍ଗଳବାର ଭୁବନେଶ୍ୱରଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରଯୋଜକ ସତ୍ୟବ୍ରତ ସାନୁରଥ କହିଛନ୍ତି। ଗବେଷକ ତଥା ଐତିହାସିକ ଅନୀଲ ଧୀର କହିଛନ୍ତି, ମହାନଦୀ ଆଉ ପୂର୍ବ ପରି ନାହିଁ। ଏହାକୁ ବୁଝିବା ନିମନ୍ତେ ଜଣଙ୍କୁ ତୃଣମୂଳ ସ୍ତରରୁ ଏହି ନଦୀ ସମ୍ପର୍କରେ ଗଭୀର ଅଧ୍ୟୟନ କରିବାର ଆବଶ୍ୟକତା ରହିଛି। ବେଆଇନ ପ୍ରଦୂଷଣ, ଅବାଂଛିତ ଶୋଷଣ ପରି ବିଭିନ୍ନ କାରକ ଏହି ବିଶାଳ ନଦୀର ଜଳପ୍ରବାହକୁ ଅନେକାଂଶରେ ପ୍ରତିହତ କରିଛି। ମହାନଦୀର ଦୈଘର୍‌ୟ, ସୁନ୍ଦରତା ବାସ୍ତବରେ ଅବିଶ୍ୱସନୀୟ। ମହାନଦୀକୁ ବଞ୍ଚାଇବାର ସମୟ ଆଜି ପ୍ରାୟ ଉପନୀତ। ବୃତ୍ତଚିତ୍ରର ନିର୍ଦ୍ଦେଶକ ଅମୃତେନ୍ଦୁ ବରାଳ କହିଛନ୍ତି, ନଦୀ ବନ୍ଧ ନିର୍ମାଣ, ବାଲି ଖନନ, ସେତୁ ନିର୍ମାଣ, ଶିଳ୍ପାୟନରୁ ନିର୍ଗତ ବର୍ଜ୍ୟବସ୍ତୁ, ଧାର୍ମିକ ବର୍ଜ୍ୟବସ୍ତୁ, ଘରୋଇ ବର୍ଜ୍ୟବସ୍ତୁ ଏବଂ ନଦୀକୂଳିଆ ଜଙ୍ଗଲର ଅବକ୍ଷୟ ଯୋଗୁ ମହାନଦୀରେ ଜଳପ୍ରବାହ ଦିନକୁ ଦିନ କମ୍‌ ହେଉଛି। ସମୟାନୁସାରେ ଏହାର ଅସ୍ତିତ୍ୱ ଲୋପ ପାଇବାକୁ ବସିଛି। ପ୍ରକୃତି ଆମକୁ ଅନେକ କିଛି ଶିକ୍ଷା ପ୍ରଦାନ କରିଥାଏ ଏବଂ ଏହା ଏକ ମନୁଷ୍ୟକୃତ ତ୍ରୁଟି। ଏହା ବିନାଶର ପଥ। ଯଦିଓ ଆମେ କ୍ଷତିକୁ ଭରଣା କରିପାରିବା ନାହଁି, ତେବେ ଆମେ ଏହି କ୍ଷତିକୁ କିଛି ମାତ୍ରାରେ ହ୍ରାସ କରିପାରିବା। ଏହି ବୃତ୍ତଚିତ୍ରର ଦୃଷ୍ଟିକୋଣ ହେଉଛି କ୍ଷୟକ୍ଷତିର ପୁନରୁଦ୍ଧାର ଓ ଏହା ବିଷୟରେ ଲୋକଙ୍କୁ ଅବଗତ କରିବା।