ପ୍ରଥମ ଦିନରେ ସୂର୍ଯ୍ୟମନ୍ଦିର ବୁଲିଲେ ୫୦୨

କୋଣାର୍କ,୩।୮(ଡି.ଏନ୍‌.ଏ.): ଦୀର୍ଘଦିନ ପରେ କଟକଣା ମଧ୍ୟରେ ସୋମବାର କୋଣାର୍କ ସୂର୍ଯ୍ୟମନ୍ଦିର ଖୋଲିଛି। ସକାଳ ୬ଟାରୁ ମନ୍ଦିର ମୁଖ୍ୟଦ୍ୱାର ତାଲା ଫିଟାଯାଇଥିଲା। ପ୍ରଥମ ଦିନରେ ୫୦୨ଜଣ ପର୍ଯ୍ୟଟକ ଅନ୍‌ଲାଇନରେ ଟିକେଟ ବୁକିଂ କରି ସୂର୍ଯ୍ୟମନ୍ଦିର ବୁଲିଥିଲେ। କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ମନ୍ଦିର ଖୋଲାଯାଇଛି। ସୋମବାର ଖୋଲିବା ଜାଣି ପର୍ଯ୍ୟଟକମାନେ ଅନ୍‌ଲାଇନରେ ଟିକେଟ ବୁକିଂ କରି ଆସିଥିଲେ। ମନ୍ଦିରର ମୁଖ୍ୟ ପ୍ରବେଶ ପଥରେ ଏଏସ୍‌ଆଇର ଏକ ବୋର୍ଡ ଲଗାଯାଇଛି। ଏହି ବୋର୍ଡରେ ରହିଥିବା କ୍ୟୁଆର କୋର୍ଡକୁ ସ୍ମାର୍ଟଫୋନରେ ସ୍କାନ କରିବାକୁ ପଡ଼ିବ। ସ୍କାନ କଲେ ୟୁପିଆଇରେ ୩୫ଟଙ୍କା ବ୍ୟାଙ୍କ ବାଲାନ୍ସରୁ କଟିବ। ଏହାପରେ ପର୍ଯ୍ୟଟକମାନେ ଭିତରକୁ ପ୍ରବେଶ କରିବେ। ପ୍ରବେଶ ପଥରେ ନିୟୋଜିତ ସୁରକ୍ଷା କର୍ମୀ ପର୍ଯ୍ୟଟକଙ୍କ ଥର୍ମାଲ ସ୍କ୍ରିନିଂ, ସାନିଟାଇଜ୍‌ କରି ଭିତରକୁ ଛାଡ଼ିବେ। ମନ୍ଦିର ବୁଲିବା ପାଇଁ ହେଲେ ପର୍ଯ୍ୟଟକଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଦୈନିକ ୨ ହଜାର ପର୍ଯ୍ୟଟକ ଅନ୍‌ଲାଇନରେ ଟିକେଟ ବୁକିଂ କରି ମନ୍ଦିର ପ୍ରବେଶ କରିବେ। ପରେ ଅଫ୍‌ଲାଇନରେ ଟିକେଟ କାଟିପାରିବେ ବୋଲି ସଂରକ୍ଷଣ ଅଧିକାରୀ ନିରଜ ସିଂ କହିଛନ୍ତି। ତେବେ ମନ୍ଦିର ଖୋଲାଯାଇଥିବା ବେଳେ ମନ୍ଦିର ଭିତରକୁ ଗାଇଡ୍‌, ଫଟୋଗ୍ରାଫର, ହସ୍ତଶିଳ୍ପ ବ୍ୟବସାୟୀଙ୍କୁ ବାରଣ କରାଯାଇଛି। ସୂଚନା ଥାଉକି, କରୋନା ବିପତି ସମୟରେ ଲକ୍‌ଡାଉନ ଯୋଗୁ ଏପ୍ରିଲ ୧୬ତାରିଖରୁ ସୂର୍ଯ୍ୟମନ୍ଦିର ବନ୍ଦ ରହିଥିଲା।