Categories: ବାଣିଜ୍ୟ

ନଭେମ୍ବର ୬ରେ ‘ପାରି କରିବେ ଭୋଳାଶଙ୍କର’

ଭୁବନେଶ୍ୱର,୧।୧୧: ରାଜ୍ୟର ପ୍ରମୁଖ ମନୋରଞ୍ଜନ ଭିତ୍ତିକ ଘରୋଇ ଚ୍ୟାନେଲ ଜୀ ସାର୍ଥକ ଆଉ ଏକ ଓଡ଼ିଆ ସିନେମା ପ୍ରସାରିତ କରିବାକୁ ଯାଉଛି। ଏପରିକି ଆସନ୍ତା ନଭେମ୍ବର ୬ ତାରିଖ (ସୋମବାର) ସଂଧ୍ୟା ୬ଟା ୩୦ରେ ‘ପାରି କରିବେ ଭୋଳା ଶଙ୍କର’ର ସର୍ବଭାରତୀୟସ୍ତରରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ପୂର୍ବରୁ ସୋମବାର ଭୁବନେଶ୍ୱରର ଏକ ତାରକା ହୋଟେଲରେ ଉକ୍ତ ସିନେମାର ଅଡିଓ ରିଲିଜ ହୋଇଯାଇଛି। ସେହିଭଳି ଉକ୍ତ ସିନେମାରେ ୩ଟି ପ୍ରମୁଖ ଗୀତ ରହିଛି ଏବଂ ବରିଷ୍ଠ କଳାକାର ଡ. ନିର୍ମଳ ନାୟକ ସେ ସବୁ ଗୀତ ରଚନା କରିଥିବା ବେଳେ ପ୍ରଶାନ୍ତ ପାଢୀଙ୍କ ବଳିଷ୍ଠ ସଙ୍ଗୀତ ନିର୍ଦ୍ଦେଶନାରେ ବିଷ୍ଣୁ ମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ, ସତ୍ୟଜିତ, ସୋହିନୀ ମିଶ୍ର, ତାରିକ ଅଜିଜ ଓ ସ୍ବସ୍ତିକ ପ୍ରମୁଖ କଣ୍ଠଦାନ କରିଛନ୍ତି। ଅପରପକ୍ଷରେ ଉକ୍ତ ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ପାରିବାରିକ ଏବଂ ଗାଁର କାହାଣୀକୁ ନେଇ ଆଗେଇଛି। ଉଲ୍ଲେଖଯୋଗ୍ୟ ଯେ ଉକ୍ତ ସିନେମାର ନାୟକ ଶଙ୍କର ଉପରେ ମହାଦେବଙ୍କ ଆଶୀର୍ବାଦ ରହିଛି। ଏପରିକି ପ୍ରତ୍ୟେକ ସୋମବାର ନାୟକ ଶଙ୍କର ଦେହରେ ଅଦ୍ଭୁତ ଐଶ୍ୱରୀୟ ଶକ୍ତି ପ୍ରାପ୍ତ ହୋଇଥାଏ, ଯାହା ସାଧାରଣ ମଣିଷ କେବେ ବି ଭାବି ପାରେନି। ତାହା ସେ କରିପାରେ। ତେଣୁ ଶଙ୍କର ଗାଁର ଛୋଟ ଠୁ ବଡ ସମସ୍ତଙ୍କର ଅତି ଆପଣାର ହୋଇଥାଏ ତେବେ ଶଙ୍କରର ଲୋକପ୍ରିୟତାକୁ ସହି ପାରନ୍ତିନି ସେହି ଗାଁର ଜମିଦାର ଅବିନାଶ ବାବୁ। ଶଙ୍କରର ବିନାଶ ପାଇଁ ଜମିଦାର ନାନା ଉପାୟ ଚିନ୍ତା କରନ୍ତି, ଜମିଦାରଙ୍କ ଝିଅ ପ୍ରତ୍ନତତ୍ତ୍ୱ ଗବେଷଣାରତ ଥିବା ବେଳେ ସେଇ ଆଳରେ ଜମିଦାର ଗାଁ ମନ୍ଦିର ଜମି ହଡପ କରିବାକୁ ଅବିନାଶ ବାବୁ ଚେଷ୍ଟା କରନ୍ତି। ଯେଉଁଥିରେ ବାଧକ ସାଜେ ଶଙ୍କର। ତେବେ ରୋମାଞ୍ଚକର କାହାଣୀକୁ ନେଇ ଆଗକୁ ସିନେମା ଗତିଶୀଳ ହେଉଛି। ଅନ୍ୟାୟର ଆୟୁଷ କେତେ ଓ ଅବିନାଶ-ଶଙ୍କରର ଛକାପଞ୍ଝାର ପରିଣତି କ’ଣ ହେବ ତାହା ସିନେମା ଦେଖିଲେ ଜାଣିହେବ। କାହାଣୀକାର ଅଛନ୍ତି ଚିନ୍ମୟ ଦାସ ପଟ୍ଟନାୟକଙ୍କ ‘ପାରି କରିବେ ଭୋଳା ଶଙ୍କର’ଫିଲ୍ମର ନିର୍ଦ୍ଦେଶନା ମୃତ୍ୟୁଞ୍ଜୟ ସାହୁ ଦେଇଥିବା ବେଳେ ଅଜୟ ରାଉତ ପ୍ରଯୋଜନା ଭାର ହାତକୁ ନେଇଛନ୍ତି।

Share