ଟେନସା, ୨୩।୬ (ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲାର ଟେନସା ଫାଣ୍ଡି ଅନ୍ତର୍ଗତ ବରସୁଆଁ ବସ୍ତିରେ ମଙ୍ଗଳବାର ସକାଳେ ଘରୋଇ କଳହକୁ କେନ୍ଦ୍ରକରି ଏକ ହୃଦୟବିଦାରକ ଘଟଣା ଘଟିଛି। ପୁଅ ଛୁରିରେ ବେକ କାଟି ବାପାଙ୍କୁ ହତ୍ୟା କରିଥିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ପୁଅକୁ ଅଟକ ରଖିଛି। ରାଉରକେଲାରୁ ଏକ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ସକାଳେ କୌଣସି କାରଣକୁ ନେଇ ବାପା ଅସାଢୁ ନାଏକ ଓ ପୁଅ ରମେଶ ନାଏକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ରମେଶ ଘରେ ଥିବା ପରିବା କଟା ଛୁରିରେ ବାପା ଅସାଢୁ ନାଏକଙ୍କ ବେକକୁ ଆକ୍ରମଣ କରିଥିଲେ। ଗୁରୁତର ହୋଇଥିବା ଅସାଢୁ ନାଏକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୋଲିସ ଅଭିଯୁକ୍ତ ରମେଶ ନାଏକଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।