Categories: ଜାତୀୟ

ମଞ୍ଚ ଉପରେ ଚାନ୍ଦା ମାଗିଲେ ଓମପ୍ରକାଶ ରାଜଭର, ଦାତାଙ୍କର ଲାଗିଲା ଭିଡ

ସନ୍ଥକବିରନଗର,୨ ।୧୦: ଉତ୍ତର ପ୍ରଦେଶରେ ସୁହେଲଦେବ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଓମପ୍ରକାଶ ରାଜଭର ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ଏଥର ସେ ଖୋଲା ମଞ୍ଚରେ ଗାମୁଛା ପତାଇ ଚାନ୍ଦା ମାଗିଛନ୍ତି । ରାଜଭର ଶନିବାର ସନ୍ଧ୍ୟାରେ ସନ୍ଥକବିରନଗର ଜିଲାରେ ସାବଧାନ ରଥଯାତ୍ରା ନେଇ ପହଞ୍ଚିଥିଲେ । ଏଠାରେ ସେ ଘନଘଟା ବିଧାନସଭାର ଏକ ଘରୋଇ ସ୍କୁଲରେ ଜନସଭାରେ ଯୋଗ ଦେଇଥିଲେ । ଏହାପରେ ସେହିଠାରେ ସେ ମଞ୍ଚ ଉପରେ ଗାମୁଛା ପାତି ଚାନ୍ଦା ମାଗିଥିବା ଦେଖାଯାଇଥିଲା । ଚାନ୍ଦାରେ ସେ ଜନତାଙ୍କଠାରୁ ୧୦ ଟଙ୍କା ଡିମାଣ୍ଡ କରିଥିଲେ । ଦାତା ମଧ୍ୟ ହୃଦୟ ଖୋଲି ଦାନ ଦେଇଥିଲେ । ତେବେ ଦାନ ଦେବା ଲାଗି ଦାତାଙ୍କର ଲମ୍ବା ଲାଇନ ଲାଗିଥିଲା ।

ଗଣମାଧ୍ୟମ ସହ କଥା ହୋଇ ରାଜଭର କହିଛନ୍ତି ସାବଧାନ ରଥଯାତ୍ରା ଜରିଆରେ ଆମେ ଲୋକଙ୍କୁ ସାବଧାନ କରିବାକୁ ଆସିଛୁ । ଆମର ରଥଯାତ୍ରା ଲକ୍ଷ୍ନୌରୁ ନେଇ ୭୫ ଜିଲା ହୋଇ ଗାନ୍ଧୀ ମଇଦାଦରେ ଶେଷ ହେବ । ଶନିବାର ରାଜଭର ଏହି ସାବଧାନ ଯାତ୍ରା ନେଇ ଧନଘଟା ବିଧାନସଭା ଆସନର ହୈସର ବ୍ଲକରେ ପହଞ୍ଚିଥିଲେ । ସେଠାରେ ସେ ଲୋକଙ୍କୁ କହିଥିଲେ ଆପଣଙ୍କ ୧୦ ଟଙ୍କା ଆମକୁ ଆପଣଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇବ । ଏହାସହ ସେ ଜନତାଙ୍କୁ କହିଥିଲେ ଯେତେବେଳେ କୌଣସି ଦଳ ଏଠାକୁ ଆସି ସଭା କରୁଛନ୍ତି ସେମାନଙ୍କୁ ଜାତିଗତ ଜନଗଣନାକୁ ନେଇ ପ୍ରଶ୍ନ କରନ୍ତୁ । ଆମର ଜନଗଣନା କାହିଁକି କରାଯାଉ ନାହିଁ ବୋଲି ବି ପ୍ରଶ୍ନ କରନ୍ତୁ ।

Share