ଓମିକ୍ରନ୍‌ ଆତଙ୍କ, ୧୦୯ ବିଦେଶ ଫେରନ୍ତା ନିଖୋଜ…

ମୁମ୍ବାଇ,୭।୧୨: ଦେଶରେ କରୋନାର ନୂତନ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶରେ ୨୩ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ମୁମ୍ବାଇରେ ଓମିକ୍ରନ ଭାରିଆଣ୍ଟରେ ଆଉ ଦୁଇଜଣ ଲୋକ ସଂକ୍ରମିତ ହୋଇଛନ୍ତି। ଓମିକ୍ରନ୍‌ ଆତଙ୍କ ଯୋଗୁ ମୁମ୍ବାଇକୁ ଆସିଥିବା ୧୦୯ ବିଦେଶ ଫେରନ୍ତା ନିଖୋଜ ହୋଇଯାଇଛନ୍ତିି। ସେମାନଙ୍କ ବିଷୟରେ ପ୍ରଶାସନ ପାଖରେ କୌଣସି ସୂଚନା ନାହିଁ।

ମୋଟ ୨୯୫ ବିଦେଶୀ ଯାତ୍ରୀ ମୁମ୍ବାଇ ଆସିଥିଲେ ବୋଲି କଲ୍ୟାଣ ଡୋମ୍ବିଭଲି ମ୍ୟୁନିସିପାଲିଟି କର୍ପୋରେସନ (କେଡିଏମସି) ମୁଖ୍ୟ ବିଜୟ ସୂର୍ଯ୍ୟବଂଶୀ କହିଛନ୍ତି। ନିଖୋଜ ହୋଇଥିବା ବିଦେଶୀ ଯାତ୍ରୀଙ୍କ ମଧ୍ୟରୁ କେତେକଙ୍କୁ ମୋବାଇଲ ଫୋନରେ ଯୋଗାଯୋଗ କରିବା ସମ୍ଭବ ହୋଇପାରୁନାହିଁ।

କେବଳ ଏତିକି ନୁହେଁ, ବିଦେଶରୁ ଆସିଥିବା ଯାତ୍ରୀମାନେ ସେମାନଙ୍କର ଯେଉଁ ଠିକଣା ଦେଇଥିଲେ, ବର୍ତ୍ତମାନ ସେଠାରେ ତାଲା ଝୁଲୁଛି। ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ବିପଦପୂର୍ଣ୍ଣ ଦେଶରୁ ଭାରତକୁ ଆସୁଥିବା ଲୋକଙ୍କ ପାଇଁ ସାତ ଦିନ ଘରେ ରହିବା ପାଇଁ ଏକ ନିୟମ କରିଛନ୍ତି। ଏସବୁ ଲୋକମାନଙ୍କର ସାତ ଦିନ ପରେ ପୁନର୍ବାର କରୋନା ପରୀକ୍ଷା କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

Share