‘ଓମିକ୍ରନ ପରେ ବି ଶେଷ ହେବ ନାହିଁ କରୋନା’

ଓ୍ବାଶିଂଟନ,୧୧।୨: ସମଗ୍ର ବିଶ୍ୱରେ କରୋନା ମାମଲା ଦେଖାଯାଉଛି। ନୂଆ ଭାରିଆଣ୍ଟ ଓମିକ୍ରନ ଯଦିଓ ଅଧିକ ପ୍ରଭାବ ପକାଇ ନାହିଁ, ତଥାପି ଅନେକ ଲୋକଙ୍କ ଜୀବନ ଯାଇଛି। ଏଭଳି ପରିସ୍ଥିତିରେ ଭାରତ ସମେତ ବିଶ୍ୱର ଅନ୍ୟ ଦେଶମାନେ କରୋନା ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଧୀରେ ଧୀରେ ହ୍ରାସ କରୁଛନ୍ତି। ଏଥିସହିତ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କରୋନା ଭୂତାଣୁର ଓମିକ୍ରନ ଭାରିଆଣ୍ଟ ଚୂଡ଼ାନ୍ତ ରୂପ ହେବ ନାହିଁ। ଏହାର ନୂଆ ନୂଆ ଭାରିଆଣ୍ଟ ଆସିବ।

ଡବ୍ଲ୍ୟଏଚ୍‌ଓ ଅଫିସିଆଲ ସୋସିଆଲ ମିଡିଆ ଫୋରମ୍‌ରେ ଆୟୋଜିତ ଏକ ପ୍ରଶ୍ନ-ଉତ୍ତର ଅଧିବେଶନରେ ସଂଗଠନର କୋଭିଡ୍‌-୧୯ ବୈଷୟିକ ଦଳର ମାରିଆ ଓ୍ବାନ୍‌ କେର୍ଖୋଭ କହିଛନ୍ତି, ବିଶ୍ୱ ସ୍ବାସ୍ଥ୍ୟ ଏଜେନ୍ସି ଓମିକ୍ରନର ୪ଟି ଭିନ୍ନ ପ୍ରକାରର ନଜର ରଖିଛି। ମାରିଆ କହିଛନ୍ତି, ଆମେ ବର୍ତ୍ତମାନ ଏହି ଭୂତାଣୁ ବିଷୟରେ ବହୁତ କିଛି ଜାଣିଛୁ। ଖୋଲାଖୋଲି ଭାବେ କହିବାକୁ ଗଲେ ଭୂତାଣୁର ନୂଆ ଭାରିଆଣ୍ଟ ଆସିବ।

ସେ କହିଛନ୍ତି, ଟିକାକରଣର ପରିସର ବୃଦ୍ଧି କରିବାକୁ ପଡ଼ିବ। ଟିକା ଦ୍ୱାରା ସଂକ୍ରମଣ ବିସ୍ତାରକୁ ରୋକା ଯାଇପାରିବ ମାତ୍ର ସମୂଳେ ଧ୍ୱଂସ କରାଯାଇପାରିବ ନାହିଁ। ଆମକୁ ଆହୁରି ସତର୍କ ହେବାକୁ ପଡ଼ିବ ବୋଲି ମାରିଆ କହିଛନ୍ତି।

Share