ଓମିକ୍ରନ୍‌ ଆତଙ୍କ, ୫ ରୁ ୧୪ ବର୍ଷ ବୟସ୍କ ପିଲାଙ୍କ ପାଇଁ ଅଧିକ ବିପଦ…

ଜେନେଭା,୮।୧୨: ଦକ୍ଷିଣ ଆଫ୍ରିକାରୁ ସମଗ୍ର ବିଶ୍ୱରେ ବ୍ୟାପିଥିବା ଓମିକ୍ରନ ଭାରିଆଣ୍ଟକୁ ନେଇ ଭୟର ବାତାବରଣ ଥିବାବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ପିଲାମାନଙ୍କଠାରେ ସଂକ୍ରମଣ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି। ଡବ୍ଲ୍ୟୁଏଚ୍‌ଓର ୟୁରୋପୀୟ କାର୍ଯ୍ୟାଳୟ କହିଛି ଯେ ୫ ରୁ ୧୪ ବର୍ଷ ବୟସର ପିଲାମାନଙ୍କଠାରେ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଛି। ଡବ୍ଲ୍ୟୁଏଚ୍‌ଓ ୟୁରୋପର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ହାନ୍ସ କ୍ଲୁଜଙ୍କ ଅନୁଯାୟୀ ଟିକାକରଣ ଦ୍ୱାରା ବିପଦ କିଛି ମାତ୍ରାରେ କମିବାର ସମ୍ଭାବନା ରହିଛି। ପୂର୍ବ କରୋନା ଲହର ତୁଳନାରେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି। କିନ୍ତୁ ସେ ଚେତାବନୀ ଦେଇଛନ୍ତି ଯେ ଗତ ଦୁଇ ମାସ ମଧ୍ୟରେ ୫୩ଟି ଦେଶରେ କରୋନା ମାମଲା ଏବଂ ମୃତ୍ୟୁ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଏଭଳି ପରିସ୍ଥିତିରେ ସତର୍କ ରହିବା ଆବଶ୍ୟକ।

ସେ କହିଛନ୍ତି ଯେ ଡେଲ୍ଟା ଭାରିଆଣ୍ଟ ଯୋଗୁ ଏବେ ବି ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ୨୧ ଦେଶରେ ଓମିକ୍ରନ୍‌ର ୪୩୨ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁରୋପରେ ଏବଂ ମଧ୍ୟ ଏସିଆରେ ଡେଲ୍ଟା ଭାରିଆଣ୍ଟ ଚିନ୍ତାର ବିଷୟ ପାଲଟିଛି। ଏହାକୁ ରୋକିବାରେ ଟିକାକରଣ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି।

ୟୁରୋପର କେତେକ ଦେଶରେ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ମାମଲା ଦୁଇରୁ ତିନି ଗୁଣ ବୃଦ୍ଧି ପାଇଛି ବୋଲି କ୍ଲୁଜ ଚିନ୍ତା ପ୍ରକଟ କରିଛନ୍ତି। ଯଦିଓ ସ୍ବାସ୍ଥ୍ୟସେବା କର୍ମଚାରୀ, ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ଥିବା ଲୋକ ଏବଂ ବୟସ୍କଙ୍କ ତୁଳନାରେ ପିଲାଙ୍କଠାରେ କମ ସଂକ୍ରମଣ ଦେଖାଯାଉଛି। ସେ କହିଛନ୍ତି ଯେ ସ୍କୁଲ ଛୁଟି ହେବା ଯୋଗୁ ପିଲାମାନେ ପିତାମାତା କିମ୍ବା ଜେଜେବାପାଙ୍କ ସହ ଘରେ ରହିବାକୁ ପସନ୍ଦ କରନ୍ତି। ଏହି କାରଣରୁ ସେମାନଙ୍କଠାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ଏପରି ପରିସ୍ଥିତିରେ, ଯଦି ସେମାନଙ୍କୁ ଟିକା ନ ଦିଆଯାଏ ମୃତ୍ୟୁ ସଂଖ୍ୟା ୧୦ ଗୁଣା ବଢ଼ିବାର ଆଶଙ୍କା ରହିଛି।

Share