୧୩ ଦେଶରେ ପହଞ୍ଚିଲା ଓମିକ୍ରନ: ବିଦେଶୀଙ୍କ ପାଇଁ ଜାପାନ ମନା

ନୂଆଦିଲ୍ଲୀ/ଟୋକିଓ /ଲିସବନ,୩୦ ।୧୧: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ୧୩ଟି ଦେଶରେ ପହଞ୍ଚି ସାରିଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ କୁହାଯାଇଛି କି ଓମିକ୍ରନ ଆକ୍ରାନ୍ତ ଦେଶରୁ ଆସୁଥିବା ଲୋକଙ୍କ ଉପରେ ବିଶେଷ ଦୃଷ୍ଟି ଦେବା ସହ ଏଠାରୁ ଭାରତ ଆସୁଥିବା ଯାତ୍ରୀଙ୍କର କରୋନା ଟେଷ୍ଟ କରିବା ବାଧ୍ୟତାମୂଳକ ଓ ଏମାନେ ୭ ଦିନ କ୍ୱାରାଣ୍ଟାଇନରେ ରହିବା ବି ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ଜାପାନ ବିଦେଶଯାତ୍ରୀଙ୍କ ପାଇଁ ତା’ର ସୀମା ବନ୍ଦ ରଖିବାକୁ ସୋମବାର ଘୋଷଣା କରିଛି । ବିଶ୍ୱର ତୃତୀୟ ସର୍ବବୃହତ୍ତ ଅର୍ଥବ୍ୟବସ୍ଥା ଥିବା ଦେଶ ଓମିକ୍ରନ ପାଇଁ ଏଭଳି ନିଷ୍ପତ୍ତି ନେଇଛି । ତେବେ ଇସ୍ରାଏଲ ପରେ ଜାପାନ ଓମିକ୍ରନକୁ ନେଇ ସବୁଠାରୁ କଠୋର ପଦକ୍ଷେପ ନେଇଛି । କାରଣ ଓମିକ୍ରନ ପାଇଁ ଇସାଏଲ ପ୍ରଥମେ ତା’ର ସୀମା ସିଲ୍ କରିବା କଥା ଘୋଷଣା କରିଥିଲା । ଜାପାନର ପ୍ରଧାନମନ୍ତ୍ରୀ ଫୁମୁୟୋ କିଶିଦା କହିଛନ୍ତି ସବୁଠାରୁ ଖରାପ ସ୍ଥିତିକୁ ରୋକିବାକୁ ଜାପାନ ମଙ୍ଗଳବାରଠାରୁ ବିଦେଶିଙ୍କ ପାଇଁ ତା’ର ସୀମା ବନ୍ଦ କରିଦେବ । ସେ ଏହାକୁ ଅସ୍ଥାୟୀ ଓ ଅସାଧାରଣ ଉପାୟ କହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଏହା ଜରୁରୀ ବୋଲି କହିଛନ୍ତି ।
ଓମିକ୍ରନ ଏବେ ସ୍କଟଲ୍ୟାଣ୍ଡ, ପର୍ତ୍ତୁଗାଲ, ଅଷ୍ଟ୍ରେଲିୟା, ବେଳଜିୟମ, ବୋସ୍ତୱାନା, ବ୍ରିଟେନ, କାନାଡା, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ହଂକଂ, ଇସ୍ରାଏଲ, ଇଟାଲୀ, ନେଦରଲ୍ୟାଣ୍ଡସରେ ପହଞ୍ଚିଥିବା ସୂଚନା ରହିଛି । ଏହା ଅନ୍ୟ ସମସ୍ତ ଭାରିଏଣ୍ଟଠାରୁ ମାରାତ୍ମକ ହୋଇଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି କିଛି ଦେଶରେ ଏହା ଭୟାବହ ହେବ । ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚେତାବନୀକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ ଦେଶ ଏଥିପାଇଁ ଭିନ୍ନ ଭିନ୍ନ ଗାଇଡଲାଇନ ଜାରି କରୁଛନ୍ତି । ଦକ୍ଷିଣ ଆଫ୍ରିକାରେ ଏହା ପ୍ରଥମେ ଦେଖାଦେଇଥିବାରୁ ଏବେ ଅନେକ ଦେଶ ଦକ୍ଷିଣ ଆଫ୍ରିକା ଯାତ୍ରାକୁ ବାରଣ କରିଛନ୍ତି ।

Share