ଓମିକ୍ରନ୍‌ ବଡ଼ ବିପଦ

ନୂଆଦିଲ୍ଲୀ, ୩୦ା୧୧: କରୋନା କବଳରୁ ମୁକୁଳି ବିଶ୍ୱ ସଜାଡ଼ି ହେବାକୁ ଅଣ୍ଟା ଭିଡ଼ିଲାବେଳକୁ ନୂଆ ଭାରିଆଣ୍ଟ ଓମିକ୍ରନ୍‌ ପୁଣି ଚିନ୍ତା ବଢ଼ାଇଛି। ଓମିକ୍ରନ ସଂକ୍ରମଣର ଭୟାବହତାକୁ ଦେଖି ପ୍ରାୟ ସବୁ ଦେଶ ଆଲର୍ଟ ରହିଛନ୍ତି। ବିଭିନ୍ନ ସ୍ଥାନରେ କଡ଼ା କଟକଣା ଫେରିଛି। ଲୋକେ ଆଶଙ୍କା ଭିତରେ ରହିଥିବାବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ଓମିକ୍ରନ୍‌କୁ ଅତି ବିପଦଜନକ ଶ୍ରେଣୀରେ ରଖିଛି। ଏହି ଭାରିଆଣ୍ଟ ସଂକ୍ରମଣ ବ୍ୟାପିଲେ ପରିଣତି ଭୟଙ୍କର ହେବ ବୋଲି ସୋମବାର ଡବ୍ଲ୍ୟୁଏଚ୍‌ଓ ଚେତାବନୀ ଦେଇଛି। ମହାମାରୀ ବିରୋଧରେ ପ୍ରସ୍ତୁତି ନିମନ୍ତେ ଅଧିକ ଆଲୋଚନା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଭା (ଡବ୍ଲ୍ୟୁଏଚ୍‌ଏ)ର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ସାଧାରଣତଃ ଡବ୍ଲ୍ୟୁଏଚ୍‌ଏର ଅଧିବେଶନ ପ୍ରତି ବର୍ଷ ମେ’ରେ ବସିଥାଏ। ଓମିକ୍ରନ୍‌ ସଂକ୍ରମଣକୁ ରୋକିବା ପାଇଁ ୧୯୪ ସଦସ୍ୟ ରାଷ୍ଟ୍ର ଏଥିରେ ଆଲୋଚନା କରିବେ।
ଜାରି କରିଥିବା ବିବୃତିରେ ମହାମାରୀକୁ ନେଇ ଚିନ୍ତା ପ୍ରକଟ କରିବା ସହ କେତେକ ପରାମର୍ଶ ଦେଇଛି। ଅନ୍ତଜାର୍ତୀୟ ସ୍ତରରେ ଓମିକ୍ରନ ବ୍ୟାପିବାର ଆଶଙ୍କା ଥିବାରୁ ଦେଶଗୁଡ଼ିକ ଟିକାକରଣକୁ ତ୍ୱରିତ କରିବା ସହ ଆଗୁଆ ଅତ୍ୟାବଶ୍ୟକ ସ୍ବାସ୍ଥ୍ୟସୁବିଧାର ବ୍ୟବସ୍ଥା କରିବା ଜରୁରୀ। ଓମିକ୍ରନର ବହୁସଂଖ୍ୟାରେ ସ୍ପାଇକ୍‌ ମ୍ୟୁଟେଶନ ଥିବାରୁ ଏହା ମହାମାରୀକୁ ଆହୁରି ଗମ୍ଭୀର କରିପାରେ। ପୂର୍ବରୁ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଏବଂ ଟିକା ନେଇଥିବା ବ୍ୟକ୍ତିଙ୍କ ରୋଗପ୍ରତିରୋଧକ ଶକ୍ତିରୁ ବର୍ତ୍ତିବା ପାଇଁ ଓମିକ୍ରନର କ୍ଷମତା ଉପରେ ଅଧିକ ଅଧ୍ୟୟନ ଆବଶ୍ୟକ। ଆସନ୍ତା କିଛି ସପ୍ତାହ ମଧ୍ୟରେ ଅଧ୍ୟୟନ ଫଳାଫଳ ଆସିଯିବ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି। ‘ଚିନ୍ତାଜନକ ଭାରିଆଣ୍ଟ’ ବର୍ଗରେ ଓମିକ୍ରନକୁ ରଖାଯାଇଥିବାବେଳେ ଟିକା ନେଇ ସାରିଥିବା ଲୋକଙ୍କୁ ମଧ୍ୟ ଏହା ସଂକ୍ରମିତ କରିପାରେ ଡବ୍ଲ୍ୟୁଏଚ୍‌ଓ କହିଛି। ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଭାରିଆଣ୍ଟ ୧୫ରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପିଲାଣି। ବୋତ୍‌ସଓ୍ବାନା, ଇଟାଲୀ, ହଂକଂ, ଅଷ୍ଟ୍ରେଲିଆ, ବେଲଜିୟମ, ବ୍ରିଟେନ, ଡେନମାର୍କ, ଜର୍ମାନୀ, ସ୍କଟ୍‌ଲାଣ୍ଡ, ନେଦରଲାଣ୍ଡ୍‌ସ, ସୁଇଜରଲାଣ୍ଡ, କାନାଡା, ଇସ୍ରାଏଲ, ଚେକ୍‌ ରିପବ୍ଲିକରେ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି। କେତେକ ଦେଶ ଦକ୍ଷିଣ ଆଫ୍ରିକାକୁ ଯାତାୟାତ ଉପରେ କଟକଣା ମଧ୍ୟ ଲଗାଇଛନ୍ତି।

Share