ଓମିକ୍ରନ୍ ସଙ୍କଟ: ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିବା ୩ହଜାର ଯାତ୍ରୀଙ୍କ ମଧ୍ୟରୁ ୬ ପଜିଟିଭ

ନୂଆଦିଲ୍ଲୀ,୩ ।୧୨: ସାରା ବିଶ୍ୱରେ ଏବେ ଚିନ୍ତା ଓମିକ୍ରନ ଭାରିଏଣ୍ଟକୁ ନେଇ । ଏହି ଭାରିଏଣ୍ଟ ଏବେ ପାଖାପାଖି ୩୦ଟି ଦେଶରେ ପହଞ୍ଚି ଯାଇଥିବା ବେଳେ ଏହା ଖୁବ୍ ଦ୍ରୁତ ଗତିରେ ବ୍ୟାପୁଥିବାରୁ ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟି ଗଲାଣି । ଆମ ଦେଶରେ ବି ପହଞ୍ଚି ସାରିଲାଣି କରୋନା ଭାଇରସର ଏହି ମାରାତ୍ମକ ଭାରିଏଣ୍ଟ । ଇତିମଧ୍ୟରେ ବିଦେଶରୁ ଆସୁଥିବା କେତେଜଣ ଯାତ୍ରୀଙ୍କ ନମୁନା ପଜିଟିଭ ଆସିବା ଆହୁରି ଚିନ୍ତା ବଢାଇ ଦେଇଛି । ଗୁରୁବାର ରାଜଧାନୀ ଦିଲ୍ଲୀର ବିମାନବନ୍ଦରରେ ପହଞ୍ଚିଥିବା ପ୍ରାୟ ୩ ହଜାର ବିଦେଶ ଫେରନ୍ତା ଯାତ୍ରୀଙ୍କ ମଧ୍ୟରୁ ୬ ଜଣଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଏମାନେ ସମସ୍ତେ ହାଇରିସ୍କ ଥିବା ଦେଶରୁ ଫେରିଥିବାରୁ ଏହା ଚିନ୍ତାର ବିଷୟ ପାଲଟି ଯାଇଛି । ସୂଚନାଯୋଗ୍ୟ, ଗୁରୁବାର ଦିଲ୍ଲୀ ବିମାନବନ୍ଦରରେ ପ୍ରାୟ ୩ ହଜାର ଯାତ୍ରୀ ବିଦେଶରୁ ଫେରିଥିଲେ । ଏଥିମଧ୍ୟରୁ ଗୋଟିଏ ବିମାନ ଲଣ୍ଡନରୁ ଆସିଥିବା ବେଳେ ଗୋଟିଏ ପ୍ୟାରିସରୁ ଆସିଥିଲା । ଏବେ ପଜିଟିଭ ଥିବା ଯାତ୍ରୀଙ୍କର କଣ୍ଟାକ ଟ୍ରେସିଂ କରାଯାଇପାରେ ବୋଲି କୁହାଯାଉଛି । ନଚେତ ଏହା ଅତିଶୀଘ୍ର ସାରା ଦେଶକୁ ବ୍ୟାପିବାର ଆଶଙ୍କା ରହିଛି ।

Share