ଗୋଆରେ ଚିହ୍ନଟ ହେଲେ ପ୍ରଥମ ଓମିକ୍ରନ୍ ସଂକ୍ରମିତ: ସଂକ୍ରମଣ ସଂଖ୍ୟାରେ ମହାରାଷ୍ଟ୍ରକୁ ପଛରେ ପକାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୨୭ ।୧୨: ବେଳକୁ ବେଳ କାୟା ବିସ୍ତାର କରି ଚାଲିଛି ଓମିକ୍ରନ୍ । କରୋନାର ଏହି ନୂଆ ଭାରିଏଣ୍ଟ ଏବେ ୧୯ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପହଞ୍ଚି ସରିଲାଣି । ସୋମବାର ଗୋଆରେ ଜଣେ ୮ ବର୍ଷର ବାଳକ ଓମିକ୍ରନରେ ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ ଏବେ ଦେଶରେ ମୋଟ ୬୦୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ଶିଶୁଟି କିଛିଦିନ ତଳେ ବ୍ରିଟେନରୁ ଫେରିଥିବା ସୂଚନା ମିଳିଛି । ଏପଟେ ଓମିକ୍ରନ୍ ସଂକ୍ରମିତ ମାମଲାରେ ମହାରାଷ୍ଟ୍ରକୁ ପଛରେ ପକାଇ ଦେଇଛି ରାଜଧାନୀ ଦିଲ୍ଲୀ । ଏବେସୁଦ୍ଧା ଦିଲ୍ଲୀରେ ୧୪୨ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେଲେଣି । ମହାରାଷ୍ଟ୍ର ଏଥିରେ ଦ୍ୱିତୀୟ ନମ୍ବରରେ ଥିବା ବେଳେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୪୧ । ଏହା ବ୍ୟତୀତ ଗୁଜରାଟ ୪୯, ତେଲେଙ୍ଗାନା ୪୪, କେରଳ ୫୭, ତାମିଲନାଡୁ ୩୪, କର୍ନାଟକ ୩୮, ରାଜସ୍ଥାନ ୪୬ ହରିୟାଣା ୧୦, ମଧ୍ୟପ୍ରଦେଶ ୯, ଓଡ଼ିଶା ୮, ଆନ୍ଧ୍ରପ୍ରଦେଶ ୬, ପଶ୍ଚିମବଙ୍ଗ ୬ , ଜମ୍ମୁ-କଶ୍ମୀର ୩, ଉତ୍ତର ପ୍ରଦେଶ ୨, ଗୋଆ ୧, ଚଣ୍ଡିଗଡ ଼୩, ଲଦ୍ଦାଖ ୧, ଉତ୍ତରାଖଣ୍ଡ ୧ ଓ ହିମାଚଳରେ ଜଣେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜଧାନୀ ଦିଲ୍ଲୀରେ ବି ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି ।

Share