ଓମିକ୍ରନ୍‌ ମୁକାବିଲା, ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଅଧିକ ଟିକା ମାଗିଲା ଆଇଏମ୍‌ଏ…

ନୂଆଦିଲ୍ଲୀ,୭।୧୨: ଦେଶରେ କରୋନାର ନୂତନ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶରେ ୨୩ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଓମିକ୍ରନ୍‌ ମୁକାବିଲା ପାଇଁ ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ପକ୍ଷରୁ ଯୋଜନା ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ବାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ କମ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କ ପାଇଁ କୋଭିଡ ଟିକାର ଅତିରିକ୍ତ ଡୋଜ ଯୋଗାଇବାକୁ ଆଇଏମଏ ସରକାରଙ୍କୁ ଅନୁରୋଧ କରିଛି।

ଏହା ସହିତ ୧୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକାକରଣ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଆଇଏମଏ କହିଛି। ଏକ ଗଣମାଧ୍ୟମ ସମ୍ମିଳନୀରେ ଆଇଏମ୍‌ଏ ପକ୍ଷରୁ କୁହାଯାଇଛି ଯେ, ଭାରତର କେତେକ ରାଜ୍ୟରେ କରୋନା ଭୂତାଣୁର ନୂତନ ଭାରିଆଣ୍ଟ ଚିହ୍ନଟ ହୋଇଛି। ବର୍ତ୍ତମାନ ଏହି ସଂଖ୍ୟା ଦ୍ୱିଗୁଣିତ ହେବାରେ ଲାଗିଛି।

ଭାରତରେ କରୋନା ମହାମାରୀ ସ୍ଥିତି ନିୟନ୍ତ୍ରଣକୁ ଆସୁଥିବାବେଳେ ଓମିକ୍ରନ୍‌ ଭାରିଆଣ୍ଟ୍‌ ଯୋଗୁ ସ୍ଥିତି ପୁଣି ଖରାପ ହେବାରେ ଲାଗିଥିବା ଆଇଏମ୍‌ଏ କହିଛି। ଫଳରେ ପୁଣି ଏକ ବଡ ବିପର୍ଯ୍ୟୟର ଆଶଙ୍କା ଦେଖାଦେଇଛି। ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କଲେ ସମ୍ଭାବ୍ୟ ତୃତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଥିବା ଆଇଏମ୍‌ଏ କହିଛି।

ଓମିକ୍ରନ ଡେଲ୍ଟା ଭାରିଆଣ୍ଟ ତୁଳନାରେ ୫ ରୁ ୧୦ ଗୁଣ ଅଧିକ ସଂକ୍ରାମକ। ତେଣୁ ଟିକାକରଣ ବୃଦ୍ଧି କରି ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ଉପରେ ଆଇଏମ୍‌ଏ ଗୁରୁତ୍ୱରାରୋପ କରିଛି।

Share