ଚା’ ଦୋକାନରେ କପ୍‌ ଧୋଉଥିଲେ ଏହି ପ୍ରସିଦ୍ଧ ଅଭିନେତା

ଅଭିନୟ ଦୁନିଆରେ ପାଦ ଦେବା ପୂର୍ବରୁ ମନରେ ପ୍ରଥମ ଚିନ୍ତାଧାରା ଆସେ ଯେ ଅଭିନୟ ବ୍ୟତୀତ ସ୍ମାର୍ଟ ଏବଂ ରୂପରେ ସୁନ୍ଦର ହେବା ନିହାତି ଆବଶ୍ୟକ। କିନ୍ତୁ ପ୍ରସିଦ୍ଧ ଅଭିନେତା ଓମ ପୁରୀ ଏହାର ବିପରୀତ ଥିଲେ। ସେ ସ୍ମାର୍ଟ ନ ଥିଲେ କି ଅଭିନେତା ପରି ଦେଖାଯାଉ ନ ଥିଲେ, କିନ୍ତୁ ସେ ଅଭିନୟ ଜଗତରେ ନିଜର ନାମ ଅର୍ଜନ କରିଥିଲେ। କେବଳ ବଲିଉଡରେ ନୁହେଁ, ସମଗ୍ର ବିଶ୍ୱ ତାଙ୍କୁ ଜଣେ ଭେଟେରାନ ଅଭିନେତା ଭାବରେ ମନେ ରଖିଛି। ଯଦିଓ ସେ ଆଜି ଆମ ଗହଣରେ ନାହାଁନ୍ତି, କିନ୍ତୁ ତାଙ୍କ ସ୍ମୃତି ଆଜି ବି ଆମ ହୃଦୟରେ ରହିଯାଇଛି।
ଓମ ପୁରୀ ଅକ୍ଟୋବର ୧୮, ୧୯୫୦ରେ ହରିୟାଣାର ଅମ୍ବାଲାରେ ଜନ୍ମଗ୍ରହଣ କରିଥିଲେ। ଅନେକ ସାକ୍ଷାତକାରରେ ସେ ନିଜ ପିଲାଦିନର କାହାଣୀ ବିଷୟରେ କହିଥିଲେ। ପିଲାଦିନେ ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯେତେବେଳେ ତାଙ୍କୁ ୬ ବର୍ଷ ହୋଇଥିଲା, ସେତେବେଳେ ସେ ଏକ ଚା’ ଦୋକାନରେ କପ୍‌ ଧୋଇବା କାମ କରୁଥିଲେ। କେବଳ ଏତିକି ନୁହେଁ, ସେ ଢାବାରେ ବାସନ ମଧ୍ୟ ମାଜୁଥିଲେ। ଓମ ପୁରୀ ଦିନସାରା କାମ କରି ଥକି ଯାଉଥିଲେ ଏବଂ ସେ ରାତି ୧୦ଟାରେ ଶୋଇ ପଡୁଥିଲେ। ଏଭଳି ପରିସ୍ଥିତିରେ ଓମ ପୁରୀ ବାସନକୁସନକୁ ଲୁଚାଇ ସକାଳେ ମାଜିଥାନ୍ତି। ଥରେ ଏପରି କରିବା ସମୟରେ ଢାବା ମାଲିକ ତାଙ୍କୁ ଦେଖିଦେବାରୁ ଢାବାରୁ ବାହାର କରି ଦେଇଥିଲେ। ଓମ ପୁରୀ ପିଲାଦିନେ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିଲେ। ବଡ ହେବା ପରେ ନ୍ୟାସନାଲ ସ୍କୁଲ ଡ୍ରାମାରେ ନାମ ଲେଖାଇଲେ ଏବଂ ତାଙ୍କର ଉତ୍କୃଷ୍ଟ ଅଭିନୟ ହେତୁ ସାରା ବିଶ୍ୱରେ ପ୍ରସିଦ୍ଧ ହେଲେ। ସେ ସ୍ପର୍ଶ, ଆକ୍ରୋଶ, କଲୟୁଗ୍‌, ଗାନ୍ଧୀ, ଜାନେ ଭୀ ଦୋ ୟାରୋ, ଆରୋହନ, ଅର୍ଦ୍ଧସତ୍ୟ, ମଣ୍ଡି, ପାର୍‌, ମିର୍ଚ୍ଚ ମସାଲା ଏବଂ ସିଟି ଅଫ ଜୟ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୨୦୧୭, ଜାନୁଆରୀ ୬ରେ ଓମ ପୁରୀଙ୍କ ପରଲୋକ ଘଟିଥିଲା।

 

Share