ଅଲିମ୍ପିକ୍‌ ଟିମ୍‌ ଅଗଷ୍ଟ ୧୫ରେ ଯିବେ ଲାଲ୍‌ କିଲ୍ଲା, ନିମନ୍ତ୍ରଣ କରିବେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩।୮: ଟୋକିଓ ଅଲିମ୍ପିକ୍‌ରେ ଯୋଗଦେବାକୁ ଯାଇଥିବା ଭାରତୀୟ ଟିମ୍‌ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ଅବସରରେ ସ୍ବତନ୍ତ୍ର ଅତିଥି ଭାବେ ଲାଲ୍‌ କିଲ୍ଲାରେ ଯିବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଭାରତୀୟ ଅଲିମ୍ପିକ୍‌ ଟିମ୍‌କୁ ନିମନ୍ତ୍ରଣ କରାଯିବ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଅଲିମ୍ପିକ୍‌ ଟିମ୍‌ ସଦସ୍ୟଙ୍କ ସହିତ ବ୍ୟକ୍ତିଗତ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।
ଅଲିମ୍ପିକ୍‌ରେ ଭାରତର ୨୨୮ ସଦସ୍ୟ ବିଶିଷ୍ଟ କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଛନ୍ତି। ସେଥିରେ ୧୧୯ ଜଣ ଖେଳାଳି ଅଛନ୍ତି। ଭାରତୀୟ ଅଲିମ୍ପିକ କଣ୍ଟିଜେଣ୍ଟରେ ପିଭି ସିନ୍ଧୁ, ମନୁ ଭେକର, ଏମସି ମେରି କୋମ, ମିରାବାଇ ଚାନୁ, ବିନେଶ ଫୋଗାଟ, ଦୀପିକା କୁମାର ପ୍ରମୁଖ ଅଛନ୍ତି।
ଏହାପୂର୍ବରୁ ଅଲିମ୍ପିକ୍‌ରେ ଖେଳୁଥିବା ଭାରତୀୟ ଖେଳାଳିଙ୍କ ପାଇଁ ମୋଦି ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଥିଲେ। ଉପଯୁକ୍ତ ପ୍ରତିଭାକୁ ପ୍ରୋତ୍ସାହିତ କରାଗଲେ ଭାରତୀୟ ଖେଳାଳିମାନେ ଉତ୍ସାହିତ ହୋଇଥାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମର ଖେଳାଳିମାନେ ପ୍ରତ୍ୟେକ ଖେଳରେ ଯଥାସମ୍ଭବ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛନ୍ତି। ଅଲିମ୍ପିକ୍‌ରେ ନୂଆ ଭାରତର ଉଚ୍ଚ ଆତ୍ମବିଶ୍ୱାସ ପ୍ରତ୍ୟେକ କ୍ରୀଡ଼ାରେ ଦୃଶ୍ୟମାନ ହେଉଛି। ଆମର ଖେଳାଳିମାନେ ନିଜ ଅପେକ୍ଷା ଭଲ ଖେଳାଳି ଏବଂ ଦଳକୁ ଚ୍ୟାଲେଞ୍ଜ କରୁଛନ୍ତି।
ଭାରତୀୟ ଖେଳାଳିଙ୍କ ଉତ୍ସାହ, ଉତ୍ସାହ ଏବଂ ଆତ୍ମା ଆଜି ସର୍ବୋଚ୍ଚ ସ୍ତରରେ ରହିଛି। ଯେତେବେଳେ ସଠିକ ପ୍ରତିଭା ଚିହ୍ନଟ ହୁଏ, ସେତେବେଳେ ଏହି ଆତ୍ମବିଶ୍ୱାସ ଆସିଥାଏ। ବିଭିନ୍ନ କାର୍ଯ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ହେବା ସହିତ ଏଥିରେ ସ୍ବଚ୍ଛତା ଆସିଲେ ଏଭଳି ଆତ୍ମବିଶ୍ୱାସ ସୃଷ୍ଟି ହୋଇଥାଏ। ଏବେ ଏହି ନୂତନ ଆତ୍ମବିଶ୍ୱାସ ନୂଆ ଭାରତ ପାଇଁ ଏକ ନୂଆ ପରିିଚୟ ଆଣିଦେଇଛିି ବୋଲି ପ୍ରଧାନମନ୍ତ୍ରୀ ଖେଳାଳିଙ୍କ ଉଦ୍ଦେଶ୍ୟରେ କହିଥିଲେ।

Share