ବିରଳ ଅଲିଭ ରିଡ୍ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ ୬ ଲକ୍ଷରୁ ଅଧିକ ଏହି ପ୍ରଜାତିର କଇଁଛ ଅଣ୍ଡାଦାନ ପାଇଁ ଆସିଥିଲେ। ମାତ୍ର ଅଣ୍ଡାଦାନ ନ କରି ସେମାନେ ଫେରିଯାଇଛନ୍ତି। ଏହା ପରିବେଶବିତ୍ଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି। ଫ୍ଲାଟବ୍ୟାକ୍ସ, ଲଗରହେଡସ, ଗ୍ରୀନ ଟର୍ଟଲ, ଲେଦରବ୍ୟାକ୍ସ, ହକ୍ସବିଲସ, କେମ୍ପସ ରିଡ୍ଲେ ଓ ଅଲିଭ ରିଡ୍ଲେ ଆଦି କଇଁଛ ସାମୂହିକ ଅଣ୍ଡାଦାନ ପାଇଁ ଉପଯୁକ୍ତ ସ୍ଥାନ ଚୟନ କରିଥାନ୍ତି। ଏମାନଙ୍କ ମଧ୍ୟରୁ ଏକମାତ୍ର ଅଲିଭ ରିଡ୍ଲେ ପ୍ରଜାତି କଇଁଛ ବଙ୍ଗୋପସାଗରର ଓଡ଼ିଶା ତଟବର୍ତ୍ତୀ ଅଞ୍ଚଳକୁ ଆସିଥାନ୍ତି। ଚଳିତ ବର୍ଷ ଦେବୀ ଓ ଋଷିକୁଲ୍ୟା ନଦୀ ମୁହାଣରେ ଅଣ୍ଡାଦାନ ହୋଇଥିବା ବେଳେ ଗହୀରମଥା ନିରାଶ କରିଛି। ୨୦୧୪ ମସିହା ଭଳି ଚଳିତବର୍ଷ ଏହି ସାମୁଦ୍ରିକ ପ୍ରାଣୀ ଅଣ୍ଡାଦାନ ନ କରି ଫେରି ଯାଇଛନ୍ତି। ଏ ସମ୍ପର୍କରେ ଏସିଏଫ୍ ମାନସ ଦାଶ କହିଛନ୍ତି, ବିଶ୍ୱତାପନ ଓ ଅନୁକୂଳ ପରିବେଶ ନ ମିଳିବା ଏହାର ସମ୍ଭାବ୍ୟ କାରଣ। ଏକକୁଳା, ବାବୁବାଲି, ମାଦଳୀ ସହ ଅଗରନାସୀ ଦ୍ୱୀପ ଏହି ପ୍ରଜାତି ସାମୁଦ୍ରିକ ପ୍ରାଣୀଙ୍କ ପ୍ରଥମ ପସନ୍ଦ ଥିଲା। ଇତିମଧ୍ୟରେ ଅଗରନାସୀ ଦ୍ୱୀପ ସମୁଦ୍ରରେ ଲୀନ ହୋଇଥିବା ବେଳେ ଅନ୍ୟ ପ୍ରଜନନ ସ୍ଥଳ ତଟକ୍ଷୟ ଯୋଗୁ ସୀମିତ ହୋଇଯାଇଛି। ଅପରପକ୍ଷରେ ଅଲିଭ ରିଡ୍ଲେଙ୍କ ଜୀବନଯାପନ ପ୍ରଣାଳୀ ଏବେ ମଧ୍ୟ ରହସ୍ୟାବୃତ ହୋଇ ରହିଛି। ୧୦୦୦ କଇଁଛ ଶାବକ ମଧ୍ୟରୁ ମାତ୍ର ଗୋଟିଏ ବଞ୍ଚିଥାନ୍ତି। ଅନୁକୂଳ ପାଗରେ ଅଣ୍ଡାଦାନ କରିବା ଏମାନଙ୍କ ସ୍ବଭାବ। ଚଳିତ ବର୍ଷ ଅତ୍ୟଧିକ ଗରମ ପାଇଁ ଅଣ୍ଡାଦାନ ସମ୍ଭବ ହୋଇ ନ ଥାଇପାରେ। ୨୦୧୪ ମସିହା ପରି ୨୦୦୮, ୨୦୦୨, ୧୯୯୮, ୧୯୯୭, ୧୯୮୮ ଓ ୧୯୮୨ରେ ଏହିଭଳି ଘଟଣା ଦେଖିବାକୁ ମିଳିଥିଲା। ୨୦୨୫ମସିହାରେ ଗହୀରମଥାରେ ୬.୦୬ ଲକ୍ଷ ଅଲିଭ ରିଡ୍ଲେ କଇଁଛ ଅଣ୍ଡାଦାନ କରିଥିବା ଏସିଏଫ୍ ଦାଶ ସୂଚନା ଦେଇଛନ୍ତି।
-ଜଗନ୍ନାଥ ଧଳ,
କେନ୍ଦ୍ରାପଡ଼ା