ବୟସ୍କ ବ୍ୟକ୍ତି ଓ କର୍କଟ

କଥାରେ ଅଛି-କ୍ୟାନ୍‌ସର ନୋ ଆନ୍‌ସର। ବର୍ତ୍ତମାନ ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରୁ କ୍ୟାନ୍‌ସର ଅନ୍ୟତମ। ପ୍ରାରମ୍ଭିକ ସ୍ତରରେ ଏହାର ଚିକିତ୍ସା କରାଯାଇପାରିଲେ ଏଥିରୁ ଆରୋଗ୍ୟ ଲାଭର ସମ୍ଭାବନା ରହିଛି। ତେଣୁ ଏହାର ଲକ୍ଷଣ ବିଷୟରେ ଅବଗତ ହେବା ଜରୁରୀ। ଏକ ସର୍ଭେରୁ ଜଣାପଡିଛି, ଅଧିକାଂଶ ବୟସ୍କ ବ୍ୟକ୍ତି କ୍ୟାନ୍‌ସର ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। କାଲିଫର୍ନିଆ ୟୁନିଭର୍ସିଟି ପକ୍ଷରୁ ହୋଇଥିବା ଏହି ସର୍ଭେ ପରିସରଭୁକ୍ତ ବୟସ୍କ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ସମସ୍ୟାଗୁଡିକୁ ତନ୍ନ ତନ୍ନ କରି ନିରୀକ୍ଷଣ କରାଯିବା ପରେ ଏଭଳି କଥା ସେମାନେ ଜାଣିପାରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ବୟସ୍କ ବ୍ୟକ୍ତିଙ୍କଠାରେ କ୍ୟାନ୍‌ସର୍‌ର ପ୍ରାକ୍‌ ଲକ୍ଷଣ ଦେଖିବାକୁ ମିଳିଥିଲା ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ବର୍ତ୍ତମାନ ଚିକିତ୍ସା ବିଜ୍ଞାନରେ ଚିନ୍ତାର କାରଣ ସାଜିଥିବା ପ୍ରମୁଖ ରୋଗଗୁଡ଼ିକ ମଧ୍ୟରେ କ୍ୟାନ୍‌ସର ବା କର୍କଟ ଅନ୍ୟତମ। ତେବେ ଏହି ରୋଗର କାରଣ ଏବଂ ନିରାକରଣ ବିଷୟରେ ଜନସାଧାରଣମାନଙ୍କୁ ସଚେତନ କରାଇବା ଲାଗି ପ୍ରତିବର୍ଷ ଫେବୃୟାରୀ ୪ରେ ‘ବିଶ୍ୱ କର୍କଟ ଦିବସ’ ପାଳନ କରାଯାଇଥାଏ। ୨୦୦୦ ମସିହାରେ କ୍ୟାନ୍‌ସର ପାଇଁ ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଅନୁଷ୍ଠିତ ହୋଇଥିଲା। ଏପରି ଆଲୋଚନାରେ ଅଂଶଗ୍ରହଣ କରି କ୍ୟାନ୍‌ସର ବିଶେଷଜ୍ଞମାନେ ଏହି ରୋଗ ଉପରେ ଚିନ୍ତା ପ୍ରକଟ କରିଥିଲେ। ତା’ସହ ଏହି ରୋଗ ବିଷୟରେ କିପରି ଜନସାଧାରଣ ସଚେତନ ହୋଇପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ସମ୍ମିଳନୀରେ ପ୍ରତିବର୍ଷ ଫେବୃୟାରୀ ୪ ତାରିଖକୁ ‘ବିଶ୍ୱ କର୍କଟ ଦିବସ’ ଭାବରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।