Categories: ଜାତୀୟ

ଜଣେ ପୁଅ ନେତା, ଆଉ ଜଣେ ବଡ଼ ଅଧିକାରୀ; ରାସ୍ତାକଡ଼ରୁ ଏମିତି ଉଦ୍ଧାର ହେଲେ ବୃଦ୍ଧା ମା’

ଚଣ୍ଡୀଗଡ଼,୧୯ା୮:  ପଞ୍ଜାବର ଶ୍ରୀମୁକ୍ତସର ସାହିରେ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, କାଦୁଅରେ ନିର୍ମିତ ଦୁଇ ଫୁଟର କାନ୍ଥରେ ଦୁଇ ଖଣ୍ଡ ପ୍ଲାଇରୁ ବୃଦ୍ଧାଜଣଙ୍କୁ ଉଦ୍ଧାର କରାଯାଇ ଗୁଜରାଟ ସ୍ଥାନାନ୍ତର କରାଯାଇଥିଲା। ବୃଦ୍ଧାଙ୍କ ଦେହରେ ବସ୍ତ୍ର ମଧ୍ୟ ନ ଥିଲା। ତାଙ୍କ ମୁଣ୍ଡରେ ପୋକ ସାଲୁବାଲୁ ହେଉଥିଲେ। ଜଣେ ଯାତ୍ରୀ ଏହି ଅବସ୍ଥାରେ ବୃଦ୍ଧାଙ୍କୁ ଦେଖି ସାମାଜିକ ସେବା ସଂଗଠନକୁ ଖବର ଦେଇଥିଲେ। ପୋଲିସ ସହାୟତାରେ ବୃଦ୍ଧା ଜଣଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।
କୁହାଯାଉଛି, ମହିଳାଙ୍କର ଦୁଇଟି ପୁଅ ଅଛନ୍ତି। ଗୋଟିଏ ପୁଅ ନେତା ଆଉ ଜଣେ ବଡ଼ ଅଧିକାରୀ। ଏଥିସହିତ ନାତୁଣୀ ମଧ୍ୟ ଜଣେ ପିସିଏସ୍‌, ଅଧିକାରୀ। କିନ୍ତୁ ପୁଅମାନେ ଏହି ଅବସ୍ଥାରେ ମା’ଙ୍କୁ ଏକାକୀ ଛାଡ଼ି ଚାଲିଯାଇଥିଲେ।
ଯେତେବେଳେ ଡାକ୍ତରମାନେ ବୃଦ୍ଧାଙ୍କୁ ଯାଞ୍ଚ କରିଥିଲେ, ତାଙ୍କ ମୁଣ୍ଡରେ ତ୍ରୁଟି ଦେଖାଦେଇଥିଲା। ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା। ପରିସ୍ଥିତି ଅତ୍ୟନ୍ତ ଜଟିଳ ଥିଲା। ପୁଅ ଯେତେବେଳେ ମା’ଙ୍କ ଅବସ୍ଥା ବିଷୟରେ ଜାଣିଲେ ସେଠାରେ ପହଞ୍ଚି ମା’ଙ୍କୁ ଅନ୍ୟ ଡାକ୍ତରଖାନାରେ ଭର୍ତ୍ତି କଲେ। ମାତ୍ର ସେଠାରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା।
ଏ ସମ୍ପର୍କରେ ଆଇଏସ ଦିଲବାଗ ସିଂ କହିଛନ୍ତି ଯେ, ଅନୁସନ୍ଧାନ ବେଳେ ବୃଦ୍ଧା ଜଣଙ୍କ କୋଟଲି ରୋଡର ବାସିନ୍ଦା ବୋଲି ଜଣାପଡ଼ିଛି। କୁହାଯାଉଛି, ପିଲାମାନେ ବୃଦ୍ଧାଙ୍କ ଯତ୍ନ ନେବାକୁ କାହାକୁ ଜଣଙ୍କୁ ଦାୟିତ୍ୱ ଦେଇଥିଲେ। ସେ ପ୍ରତି ମାସରେ ଯତ୍ନ ନେବା ପାଇଁ ପାରିଶ୍ରମିକ ମଧ୍ୟ ନେଉଥିଲେ। କିନ୍ତୁ ପିଲାମାନେ ପ୍ରତ୍ୟକ୍ଷ ଭାବରେ କିଛି ଦାୟିତ୍ୱ ନେଉ ନ ଥିଲେ। ଫଳରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା। ଜିଲା ଡେପୁଟୀ କମିଶନର ଏ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Share