ଭାଙ୍ଗି ପଡ଼ିଲା ପୁରୁଣା ସ୍କୁଲଘର

ଖପ୍ରାଖୋଲ,୨୪ା୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଦମେଇପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରୁଣା ଘର ଶୁକ୍ରବାର ଭାଙ୍ଗି ପଡିଛି। ବିଦ୍ୟାଳୟ ପରିସରରେ ଏହି ପୁରୁଣା ଶ୍ରେଣୀଗୃହଟି ଅବ୍ୟବହୃତ ଅବସ୍ଥାରେ ଥିଲା। ମଧ୍ୟାହ୍ନରେ ଶ୍ରେଣୀଗୃହରେ ପଢା ଚାଲିଥିବା ବେଳେ ଭାଙ୍ଗି ପଡିବା ଶୁଣି ଶିକ୍ଷକ, ଛାତ୍ରୀଛାତ୍ର ଭୟଭୀତ ହୋଇପଡ଼ିଥିଲେ। ଖବର ପାଇ ଅଭିଭାବକମାନେ ବିଦ୍ୟାଳୟକୁ ଆସି ଭିଡ ଜମାଇଥିଲେ। ବିଡ଼ିଓ ରଶ୍ମିରଞ୍ଜନ ରାଉତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଭାଙ୍ଗି ପଡିଥିବା ପୁରୁଣା ଗୃହ ପରିଦର୍ଶନ କରିବା ସହ ଏହାର ଆବଶ୍ୟକ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
୧୯୧୨ମସିହାରେ ସ୍ଥାପିତ ଏହି ଶତାୟୁ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଥିବାବେଳେ ୭ଜଣ ଶିକ୍ଷକ ଅଛନ୍ତି। ବର୍ତ୍ତମାନ ୧୬୮ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରଛନ୍ତି। ବିଦ୍ୟାଳୟରେ କେବଳ ତିନୋଟି ପକ୍କା କୋଠରି ଥିବାବେଳେ ପୁରୁଣା ଶ୍ରେଣୀ ଗୃହ ମରାମତି କରି ଦୁଇଟି ଶ୍ରେଣୀରେ ପାଠପଢା ହେଉଛି। କୋଠାର ଅନ୍ୟ ଏକ କୋଠରି ବିପଦସଙ୍କୁଳ ଅବସ୍ଥାରେ ରହିଥିଲା ଯାହା ଭାଙ୍ଗିଯାଇଛି। ଭଙ୍ଗା କୋଠରି ଆରପାଖରେ ରୋଷେଇ ଘର ରହିଛି। ଛାତ୍ରୀଛାତ୍ରମାନେ ଭଙ୍ଗା କୋଠରି ଦେଇ ପ୍ରତିଦିନ ଖାଇବାକୁ ଯାଇଥାନ୍ତି। ବିଦ୍ୟାଳୟର ସମସ୍ୟା ବିଷୟରେ ପୂର୍ବରୁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହେଉଛି। ଏନେଇ ପ୍ରଧାନଶିକ୍ଷକ ନିହାର ରଞ୍ଜନ ଭୋଇଙ୍କୁ ପଚାରିବାରୁ ଭାଙ୍ଗି ପଡିଥିବା କୋଠରି ବ୍ୟବହୃତ ହେଉ ନ ଥିବା କହିଛନ୍ତି। ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତଙ୍କୁ ପଚାରିବାରୁ ଅବ୍ୟବହୃତ ଘରର ଛପର ଭାଙ୍ଗିଛି ବୋଲି କହିଛନ୍ତି।