ବୃଦ୍ଧା ମା’ଙ୍କୁ ତଣ୍ଟି ଚିପି ହତ୍ୟା କଲା ପୁଅ

ବରଗଡ଼ ଅଫିସ,୨୬।୩: ପୁଅଟିଏ ଜନ୍ମହେଲେ ପରିବାରରେ ଖୁସିର ମାହୋଲ ଖେଳିଯାଏ। ପୁଅ ଦିନେ ବଡ଼ ହୋଇ ପରିଣତ ବୟସରେ ସାହା ଭରସା ପାଲଟିବ ବୋଲି ମା’ ବାପାଙ୍କ ମନରେ ଆଶା ବାନ୍ଧିଥାନ୍ତି । ମା’ ସେବା ସୁଶ୍ରୂଷା କରି ପୁଅକୁ ଛୋଟରୁ ବଡ଼ କରିଥାଏ । ମା’ କେବେ ବି ଭାବି ନ ଥାଏ, ନିଜ ଜନ୍ମକଲା ପୁଅ ଦିନେ ତାଙ୍କଠାରୁ ଦୂରେଇ ଯିବ କିମ୍ବା ଜୀବନ ନେବ। ହେଲେ
ବରଗଡ଼ ସଦର ଥାନା ଅଧୀନ ପିପିଲିପାଲି ଗାଁରେ ଶନିବାର ବିଳମ୍ବିତ ରାତିରେ ଜନୈକା ବୃଦ୍ଧା ମା’ଙ୍କୁ ନିଜ ଜନ୍ମକଲା ପୁଅ ତଣ୍ଟି ଚିପି ହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତା ମହିଳା ଜଣକ ହେଲେ ଗ୍ରାମର ପାନ ଭୁଏ(୭୦)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତରଖାନା ପଠାଇଛି।

ଅନ୍ୟପକ୍ଷେ ପୋଲିସ ହତ୍ୟାକାରୀ ପୁଅ କାର୍ତ୍ତିକ(୨୦)ଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି। ତେବେ ହତ୍ୟାର ସଠିକ୍‌ କାରଣ ଜଣାପଡି ନ ଥିବା ବେଳେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ମା’ ପୁଅ ଘରେ ରହୁଥିଲେ। କାର୍ତ୍ତିକ ଟ୍ରାକ୍ଟର ଚଲାଇ ରୋଜଗାର କରୁଥିଲେ। ଏପରିକି ମା’ ପାନଙ୍କ ଦେହ ଅସୁସ୍ଥ ଥିବାରୁ କାର୍ତ୍ତିକ ତାଙ୍କୁ ଚିକିତ୍ସାକରାଇ ଔଷଧ ମଧ୍ୟ ଆଣି ଦେଇଥିବା ପଡ଼ାବାସୀ କହିଛନ୍ତି। ହେଲେ କେଉଁ ପରିସ୍ଥିତିରେ କାର୍ତ୍ତିକ ମା’ଙ୍କୁ ତଣ୍ଟି ଚିପି ହତ୍ୟା କଲେ ସେ ଦିଗରେ ପୋଲିସ ତଦନ୍ତ ଜାରି ରଖିଛି। କାର୍ତ୍ତିକ ନିଶା ଖାଇ ଏଭଳି କାଣ୍ଡ କରିଥିବା ଜଣାପଡିଛି।