ଦିଗପହଣ୍ଡି,୧୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମ ପୋଖରୀରେ ବୁଡ଼ିଯାଇ ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ହେଲେ ଗୌତମୀ ଗ୍ରାମ ଗୋଲା ସାହି ର ଡି. କର୍ମା ପାତ୍ର(୮୫)। ଗୁରୁବାର ମଧ୍ୟାହ୍ନରେ ସେ ପୋଖରୀକୁ ଗାଧୋଇବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା। ଅପରାହ୍ନ ପ୍ରାୟ ସାଢେ ୩ଟାରେ ତାଙ୍କ ମୃତଦେହ ଭାସୁଥିବା କିଛି ଗ୍ରାମବାସୀ ଦେଖିଥିଲେ। ପୂର୍ବତନ ସରପଞ୍ଚ ସୁଶାନ୍ତ ସ୍ବାଇଁ ଏବଂ ଗ୍ରାମର କିଛି ଯୁବକ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଚେତା ନଫେରିବାରୁ ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ବ୍ରହ୍ମପୁର ସଦର ଥାନା ପୋଲିସ ଟିମ ବଡ଼ ଡାକ୍ତରଖାନାରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ଜବତ କରିଛନ୍ତି। ଶୁକ୍ରବାର ସକାଳେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି।