ଭଞ୍ଜନଗର,୯।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ନୂଆଁପଲ୍ଲୀ ଅଞ୍ଚଳରେ ମଙ୍ଗଳବାର ଅପହରଣ ସନ୍ଦେହରେ ଜଣଙ୍କୁୁ ଲୋକେ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ଏଥିସହ ଉଦ୍ଧାର ନାବାଳିକାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଘଟଣାରୁ ପ୍ରକାଶ ଯେ ନୂଆଁପଲ୍ଲୀର ଜଣେ ନାବାଳିକା ଗ୍ରାମ ଦାଣ୍ଡରେ ଖେଳୁଥିଲେ। ତାଙ୍କ ମା ଜମିକୁ କାମ କରିବାକୁ ଚାଲି ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ଜଣଙ୍କ ଏକ ସ୍କୁଟିିରେ ଉକ୍ତ ଗ୍ରାମରେ ପହଞ୍ଚି ନାବାଳିକାଙ୍କୁ ନିଜ ଗାଡିରେ ବସାଇ ଗାଲେରି ଅଭିମୁଖେ ନେଉଥିଲେ। ଏହି ସମୟରେ କିଛି ଲୋକ ନାବାଳିକାଙ୍କୁ ଦେଖି ସନ୍ଦେହରେ ଅଟକ ରଖି ପଚରାଉଚରା କରିଥିଲେ। ପରେ ନାବାଳିକାଙ୍କୁ ଅପହରଣ କରିନେଉଥିବା ସନ୍ଦେହ କରି ଲୋକେ ଅଭିଯୁକ୍ତଙ୍କୁ ମାଡ ମାରିଥିଲେ । କେଉଁ କାରଣରୁ ନାବାଳିକାଙ୍କୁ ବୃଦ୍ଧ ଜଣଙ୍କ ନେଉଥିଲେ ତାହା ସଠିକ ଭାବେ ଜଣାପଡ଼ିନାହିଁ। ପୋଲିସ ତଦନ୍ତ ପରେ ଖବରଦାତା ସମ୍ମିଳନୀରେ ତାହା ସୂଚନା ଦେବା ସମ୍ଭାବନା ରହିଛି। ଏହାପୂର୍ବରୁ ମଧ୍ୟ ଅଭିଯୁକ୍ତ ଜଣଙ୍କ ସଂପୃକ୍ତ ଅଞ୍ଚଳର ଜଣେ ବୃଦ୍ଧଙ୍କୁ ସାହାଯ୍ୟ କରିବା ବାହାନାରେ ତାଙ୍କ ଠାରୁ ଭତା ବାବଦକୁ ଆଣିଥିବା ଦୁଇ ହଜାର ଟଙ୍କା ଛଡ଼ାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପ୍ରକୃତ ରହସ୍ୟ ଖୋଜିବା ପାଇଁ ପଚରାଉଚରା କରୁଛି।


