କୂଳା ନାଳରେ ଭାସିଗଲେ ବୃଦ୍ଧ: ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ

ମହାକାଳପଡ଼ା, ୯।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା  ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଟିକରପଙ୍କା ପଞ୍ଚାୟତର ଟିକରପଙ୍କା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ସୁନାକର ମଲ୍ଲ (୭୫) ଘର ନିକଟସ୍ଥ ମହାନଦୀର ଶାଖା କୂଳା ନାଳକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ବନ୍ୟାଜଳରେ ଭାସିଯାଇ ନିଖୋଜ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସୁନାକର ମଲ୍ଲ ରବିବାର ପୂର୍ବାହ୍ନରେ ଘର ନିକଟସ୍ଥ କୂଳା ନାଳକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଖସିଯିବାରୁ ସେ  ବନ୍ୟାଜଳରେ ଭାସିଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା।

ଖବର ପାଇ ମାର୍ଶାଘାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ବୃଦ୍ଧଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି ଜାରି ରଖିଛନ୍ତି। ଏନେଇ ଟିକରପଙ୍କା ସରପଞ୍ଚ ଜ୍ୟୋତି ରଞ୍ଜନ ଖଟୁଆ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବୃଦ୍ଧ ନିଖୋଜ ହେବା ପରେ ପରିବାର ମଧ୍ୟରେ କାନ୍ଦବୋବାଳି ପଡ଼ିଥିବା ବେଳେ ଗ୍ରାମରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ମହାନଦୀ ଓ ଏହାର ଶାଖା ନାଳରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଉପୁଜୁଥିବା ସ୍ଥାନୀୟ ଲୋକେ କହିଛନ୍ତି।

 

Dharitri – Odisha’s No.1 Odia Daily

Share