କୁଲାଙ୍ଗି ଗାଁରେ ବୃଦ୍ଧଙ୍କୁ ହତ୍ୟା: ପିଟିପିଟି ମାରିଦେଲେ…

ବେଲଗୁଣ୍ଠା, ୨୨।୮: ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗାଁରେ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗ୍ରାମର ଅଙ୍ଗନଓ୍ୱାଡି କେନ୍ଦ୍ର ସମ୍ମୁଖରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ମୃତ ବୃଦ୍ଧ ଜଣକ କୁଲାଙ୍ଗି ଗ୍ରାମର ବାବୁ ସ୍ୱାଇଁ ।

ସୂଚନା ଅନୁଯାୟୀ, କୌଣସି ଏକ ପୁରୁଣା ଘଟଣାକୁ କେନ୍ଦ୍ର କରି ବାବୁ ସ୍ୱାଇଁଙ୍କ ସହ କିଛି ବ୍ୟକ୍ତିଙ୍କର ପୂର୍ବ ଶତ୍ରୁତା ରହିଥିବା ଅଭିଯୋଗ ହୋଇଛି। ଏହି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ଆକ୍ରମଣ କରାଯାଇଥିବା ଏବଂ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି।

ଘଟଣା ପରେ ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ଖବର ପାଇ ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ବିଭିନ୍ନ ଦିଗ ନେଇ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡ ପଛରେ ପ୍ରକୃତ କାରଣ କ’ଣ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ, ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଥିଲେ ମଧ୍ୟ  ପୋଲିସ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ଜଣାପଡ଼ିବ।

Dharitri – Odisha’s No.1 Odia Daily

Share