ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ଗୁଣିଆ ନାଇକେନପାଲି ଗ୍ରାମର ରୂପ ମହାନନ୍ଦ(୫୮)ଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ୧୬ବର୍ଷୀୟା ନାବାଳିକା ଜଣକ ଘରେ ଏକୁଟିଆ ଥିବା ବେଳେ ରୂପ ଘର କବାଟ ବନ୍ଦ କରି ତାଙ୍କୁ ଝଡାଫୁଙ୍କା କରିବା ସହ ଉଲଗ୍ନ କରି ଔଷଧ ଲଗାଇବା ବାହାନାରେ ବଳାତ୍କାର କରିଥିବା ରାମପୁର ଥାନାରେ ଅଭିଯୋଗ ହୋଇଥିଲା। ଥାନାରେ ମାମଲା ଗତ ୭ତାରିଖ ରୁଜୁହେଲା ପରେ ଘଟଣାସ୍ଥଳରେ ରାମପୁର ଥାନା ପୋଲିସ ପହଞ୍ଚିଥିଲା। ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍ ସୋମବାର ଆସି ଛାନଭିନ କରି ଘର ଭିତରୁ ବିଭିନ୍ନ ନମୂନା ସଂଗ୍ରହ କରିଥିଲା। ରାମପୁର ପୋଲିସ ଅଭିଯୁକ୍ତ ରୂପ ମହାନନ୍ଦଙ୍କୁ ସୋମବାର ତାଙ୍କ ଘରୁ ଉଠାଇ ନେଇଥିଲା। ମଙ୍ଗଳବାର ତାଙ୍କର ଡାକ୍ତରୀମାଇନା କରାଯାଇଥିଲା। ଏଥିପୂର୍ବରୁ ନାବାଳିକାଙ୍କର ଡାକ୍ତରୀମାଇନା କରାଯାଇଥିଲା। ଏ ନେଇ ଥାନାରେ ଭାରତୀୟ ନ୍ୟାୟ ସଂହିତା ୬୪(୨)(କେ) ଅନୁସାରେ ଏକ ମାମଲା(ନଂ.୪୫/୨୦୨୬) ରୁଜୁ କରି ଅଭିଯୁକ୍ତଙ୍କୁ ସୋନପୁର ଜେଲକୁ ପଠାଯାଇଥିବା ଥାନା ଅଧିକାରୀ ଡୋଳାମଣି ନାଏକ କହିଛନ୍ତି।

