Categories: ଜାତୀୟ

‘ମୁଁ ବଞ୍ଚିଛି..’ ପ୍ଲା କାର୍ଡ ଧରି ଧାରଣାରେ ବୃଦ୍ଧ; ମୃତ ଦେଖାଇ ବୋହୂ ଘର ବିକି ଚମ୍ପଟ

କାନପୁର,୧୩।୫: ଉତ୍ତରପ୍ରଦେଶର କାନପୁରରେ ଜଣେ ୭୦ ବର୍ଷ ବୃଦ୍ଧ ଛାତିରେ ‘ମୁ ବଞ୍ଚିଛି’ ଲେଖି ଧାରଣାରେ ବସିଛନ୍ତି। ସେ ବଞ୍ଚିଥିଲେ ହେଁ ବୋହୂ ତାଙ୍କୁ ମୃତ ଘୋଷଣା କରି ଘର ବିକ୍ରି କରି ଦେଇଛନ୍ତି। ଉକ୍ତ ଘରକୁ ବୃଦ୍ଧଜଣଙ୍କ ନିଜେ କିଣିଥିଲେ। ଏପରିକି ସେ ସେଠାରେ ରହି ଆସୁଥିଲେ। ଅପରପକ୍ଷେ ପୋଲିସ ବୃଦ୍ଧଙ୍କ ବିରୋଧରେ ଘର କବ୍ଜା କରିବା ଅଭିଯୋଗ ଆଣି ଘର ଖାଲି କରିବା ନେଇ ଚାପ ପକାଉଛି। ଏଣୁ ଅତିଷ୍ଟ ହୋଇ ବୃଦ୍ଧ ଧାରଣାରେ ବସିଥିବା ଚର୍ଚ୍ଚାର ବିଷୟ ପାଲଟିଛି।

ବୃଦ୍ଧଜଣଙ୍କ ହେଲେ ଶିବ କୁମାର ଶୁକ୍ଳା। ସେ ନ୍ୟାୟ ପାଇଁ ପୋଲିସ କମିଶନର ଅଫିସ ବାହାରେ ଧାରଣାରେ ବସିଛନ୍ତି। ସେ କହିଛନ୍ତି, ୨୦୧୯ରେ ପୁଅଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସେ ଉକ୍ତ ଘରେ ରହି ଆସୁଥିଲେ। ହେଲେ ବୋହୂ ଅପର୍ଣ୍ଣା ତାଙ୍କୁ ମୃତ ଦେଖାଇ କୋଟି କୋଟି ମୂଲ୍ୟର ଘର ୫୦ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଛନ୍ତି। ଏପରିକି ସେ ଟଙ୍କା ନେଇ କନୌଜ ଫେରାର ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି।

ଶିବ କୁମାର ଭିକ୍ଟୋରିଆ ମିଲରେ ସେଲ୍ସ ମ୍ୟାନେଜର ଥିଲେ। ସେ ୧୯୯୭ରେ ଏହି ଘର କିଣିଥିଲେ। ତାଙ୍କର ଦୁଇ ପୁଅ ସନ୍ଦିପ ଏବଂ ଅନୁପ ଥିଲେ। ଅନୁପ ସ୍ତ୍ରୀଙ୍କ ସହ ଅନ୍ୟ ଘରେ ରହୁଥିବା ବେଳେ ସାନ ପୁଅ ସନ୍ଦିପ ତାଙ୍କ ସହ ରହୁଥିଲେ। ଏଥିଲାଗି ସେ ତାଙ୍କୁ ଘରର ନୋମିନି କରିଥିଲେ। ୨୦୧୯ରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ତାଙ୍କ ବୋହୂ ଲୁଚାଛପାରେ ଘରକୁ ବିକି କନୌଜ ଚାଲିଯାଇଛନ୍ତି।

ଏବେ ଏହି ଘଟଣାକୁ ନେଇ ପୋଲିସ ବିଭାଗରେ ତତ୍ପରତା ପ୍ରକାଶ ପାଇଛି। ତାଙ୍କୁ ଶୀଘ୍ର ନ୍ୟାୟ ଦିଆଯିବ ବୋଲି ପୋଲିସ କହିଛି।

Share