ବଲାଙ୍ଗୀର, ୧।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍କିଟ ହାଉସ ନିକଟରେ ବୁଧବାର ସକାଳେ ଏକ ଘରୋଇ ସ୍କୁଲ ବସ୍ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ବୃଦ୍ଧା ହେଲେ ତୁଲସୀନଗର ପଡ଼ାର ତିଲୋତ୍ତମା ସେଠ (୬୫)। ସେ ରାସ୍ତା ପାର ହେଉଥିବା ବେଳେ ଏକ ଘରୋଇ ସ୍କୁଲ ବସ୍ ତାଙ୍କୁ ଧକ୍କା ଦେଇଛି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣାସ୍ଥଳରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଗଲେ କେଉଁ ସ୍କୁଲ ବସ୍ ଦୁର୍ଘଟଣା ଘଟାଇଛି, ତାହା ସ୍ପଷ୍ଟ ହେବ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହାକୁ ନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।